ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହିତ ପହିଲି ଭୋଗ ନୀତି। ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି। ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ। ରାମକୃଷ୍ଣ ବେନିଭାଇଙ୍କୁ ଆଜି ମା'ଯଶୋଦା ନିଜ ହାତରେ ଖୁଆଇ ଦେବେ। ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ। ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମାନଙ୍କରେ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି। ତେଣୁ କରି ଆଜିର ଏକ ପୁଣ୍ୟ ତଥା ମହତ୍ୱପୂର୍ଣ୍ଣ ଦିନ ଅଟେ। ଶ୍ରୀମନ୍ଦିରରେ ଆଜି ଭକ୍ତମାନେ ମୁଆଁ ଭୋଗ କରିଥାନ୍ତି। ଏପରିକି ଆଜିର ଦିନରେ ବଡି ଭୋରରୁ ଶତାଧିକ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି।
ପୌରାଣିକ କମ୍ବଦନ୍ତୀ ଅନୁସାରେ, ଆଜିଠାରୁ ମାଆ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି। ତେଣୁ ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମାଆ ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ପହଲିଭୋଗ ପ୍ରସ୍ତୁତ କରାଯାଏ। ପହିଲି ଭୋଗରେ ଗୁଆ-ଘିଅରେ ଖେଚୁଡି, ଫଳ ସହ ଅନ୍ୟାନ୍ୟ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯିବ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଧନୁ ସଂକ୍ରାନ୍ତିରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ମକର ସଂକ୍ରାନ୍ତିରେ ଶେଷ ହୋଇଥାଏ। ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ।
ଅଧିକ ପଢନ୍ତୁ : ଜାଡରେ ଥରୁଛି ଓଡିଶା : ଦୁଇ ସପ୍ତାହ ଯାଏଁ ଅନୁଭୂତ ହେବ ପ୍ରବଳ ଶୀତ