ଭୁବନେଶ୍ୱର ; ପ୍ରବଳ ଥଣ୍ତାରେ ଥରହର ପୂରା ରାଜ୍ୟ। କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି। ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି। ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଏହିଭଳି ତାପମାତ୍ରା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ, ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏଁ ଶୀତ ପ୍ରକୋପରୁ ନିସ୍ତାର ନାହିଁ। ଚଳିତବର୍ଷ ଶୀତ ପ୍ରକୋପ ବେଶ୍ ଲମ୍ବା ରହିଛି। ଫେବ୍ରୁଆରୀ ୧୫ ପୂର୍ବରୁ ଶୀତ ବିଦାୟ ନେବାର ସମ୍ଭାବନା କମ୍।
ଉପକୂଳ ଓଡ଼ିଶାରେ ଆସନ୍ତା ୧୭ ଓ ୧୮ରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଦକ୍ଷିଣ ଓଡ଼ିଶାରେ ୨୨-୨୩ ତାରିଖବେଳକୁ ସାମାନ୍ୟ ପରିବର୍ତ୍ତନ ଘଟିପାରେ। ମାତ୍ର ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ତେବେ ରାଜ୍ୟରେ ଗତ ୯-୧୦ ଦିନ ଧରି ଲାଗି ରହିଛି ଶୀତ ପ୍ରକୋପ। ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇନଥିଲା। ଯଦିଓ ଆଜି ତାପମାତ୍ର ସାମାନ୍ୟ ବଢ଼ିଛି, ତଥାପି ଶୀତରୁ ବଡ଼ ଆଶ୍ୱସ୍ତି ମିଳିନି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ତେବେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୦ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୫.୮, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬ ଏବଂ ଉପକୂଳ ଓଡ଼ିଶାର ଯଥା ଭୁବନେଶ୍ଵର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ : ପୁଣି ଏକ ଗିନିଜ୍ ରେକର୍ଡ ଅଭିମୁଖେ ସୁମିତ, ଟ୍ରେଡ୍ ମିଲ୍ ଉପରେ ଚାଲିଲେ ୪୮ ଘଣ୍ଟା