ଆଜି ରାଧାଷ୍ଟମୀ ଓଡ଼ିଆ ଭାଗବତର ସ୍ରଷ୍ଟା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଦିନ । ଓଡ଼ିଆ ସାହିତ୍ୟର ପଞ୍ଚସଖା ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ ଭିତରୁ ଜଣେ ଜଗନ୍ନାଥ ଦାସ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ । ୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବା ରାଧାଷ୍ଟମୀ ତିଥିରେ ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ ତିଥିରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଥିଲା ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ ।
ଶିଶୁଟି ଜଗନ୍ନାଥଙ୍କ କୃପାରୁ ପାଇଛନ୍ତି ବୋଲି ଭଗବାନ ଦାସ ତାହାର ନାମ ଜଗନ୍ନାଥ ରଖିଥିଲେ । ଶିଶୁ ଜଗନ୍ନାଥ ଚାରି ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, ବର୍ଣ୍ଣବୋଧ ଶେଷ କରିଥିଲେ । ପାଞ୍ଚ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ମଧ୍ୟ ପୁରାଣ ପାଠ ହେଉଅଛି ।
୧୫୦୯ ଖ୍ରୀଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆସିଥିଲେ ଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଥିଲା ମାତ୍ର ଉଣେଇଶ ବର୍ଷ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ତାଙ୍କର ସାକ୍ଷାତ ହେଉନଥିଲା । ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ ଅର୍ଥାତ ସେ ଥିଲେ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ" ।
ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତରଦେଇଥିଲେ 'ଆମ୍ଭ ଅତିବଡ଼ି ସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ଏହାପରେ ଅତିବଡ଼ି ସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅଳ୍ପଦୂରରେ ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଇଚ୍ଛା କରୁ ନ ଥିଲେ ସୁଦ୍ଧା ରାଜାଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି ଦିନ ସେଠାରେ ଅବସ୍ଥାନ କଲେ ଯାହା ବର୍ତ୍ତମାନ ଓଡ଼ିଆମଠ ନାମରେ ପରିଚିତ ।
ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ଶ୍ରୀମନ୍ଦିରରେ ପୁରାଣପଣ୍ଡା ଥିଲେ । ତାଙ୍କ ଅନ୍ତେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ମା ଭାଗବତ କୁ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ନିଜ ମାଆଙ୍କ ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ କରି ଅନୁବାଦ ଶୁଣାଉଠିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସମୟକ୍ରମେ ଜଗନ୍ନାଥ ଦାସ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଯାହା ଏବେ ଓଡିଶାର ଘରେ ଘରେ ପରିଚିତ ପ୍ରସିଦ୍ଧ ଧର୍ମଗ୍ରନ୍ଥ ଅଟେ । ୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଅତିବଡ଼ି ଜଗନ୍ନାଥ ଦାସଙ୍କର ତିରୋଧାନ ହୋଇଥିଲା ।
ଅଧିକ ପଢନ୍ତୁ: ଆଜି ରାଧାଷ୍ଟମୀ