ଭୁବନେଶ୍ୱର : ବାସ୍ତବରେ ହିନ୍ଦୀ ଏକ ଭାଷା ନୁହେଁ ବରଂ ଭାରତୀୟ ସମ୍ପର୍କକୁ ଏକତ୍ର କରି ରଖିବାର ଏକ ମାଧ୍ୟମ। ଏହି ଭାଷା ମାଧ୍ୟମରେ ବ୍ୟକ୍ତି ନିଜର ହଜାର ବର୍ଷ ପୁରୁଣା ସଂସ୍କୃତି ଏବଂ ସଭ୍ୟତା ସହ ଯୋଡି ହୋଇ ରହିଛି। ବୈଶ୍ୱିକ ସ୍ତରରେ ମଧ୍ୟ ହିନ୍ଦୀ ଭାଷା ଲୋକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଛି। ଏହି କାରଣରୁ ହିନ୍ଦୀ ଭାଷାର ଅନେକ ଶଦ୍ଦ ଇଂରାଜୀ ଶଦ୍ଦକୋଷରେ ଦେଖିବାକୁ ମିଳିଥାଏ। ତେଣୁ ହିନ୍ଦୀ ଭାଷା ତଥା ହିନ୍ଦୀ ଭାସି ଲୋକଙ୍କର ମହତ୍ଵକୁ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୦ ତାରିଖ ବିଶ୍ୱ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ।
କେବେ ପାଳନ ହେଲା ଏହି ଦିବସ :
ପ୍ରଥମ ବିଶ୍ବ ହିନ୍ଦୀ ସମ୍ମିଳନୀ ୧୯୭୫ ମସିହା ଜାନୁଆରୀ ୧୦ ତାରିଖରେ ନାଗପୁରରେ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ୩୦ଟି ଦେଶର ୧୨୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀର ସ୍ମୃତିରେ ଭାରତ ସରକାର ୨୦୦୬ ମସିହାରୁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୧୦ ତାରିଖକୁ ବିଶ୍ବ ହିନ୍ଦୀ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆନ୍ତର୍ଜାତିକ ସ୍ତରରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଶ୍ବ ହିନ୍ଦୀ ଦିବସ ପାଳନ ପାଇଁ ଘୋଷଣା କରିଥିଲେ। ବିଶ୍ବର ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଭାଷାଗୁଡ଼ିକ ମଧ୍ୟରେ ହିନ୍ଦୀ ଅନ୍ୟତମ। ସାରା ବିଶ୍ୱରେ ୩୦ରୁ ଅଧିକ ଦେଶରେ ହିନ୍ଦୀ ଶିକ୍ଷା ଦିଆଯାଉଛି ଏବଂ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି। ଆମେରିକାରେ ପ୍ରାୟ ୧୫୦ରୁ ଅଧିକ ଶିକ୍ଷଣ ସଂସ୍ଥାରେ ହିନ୍ଦୀ ଶିକ୍ଷା ଦିଆଯାଉଛି।
କିପରି ପାଳନ ହୁଏ :
ବିଶ୍ୱ ହିନ୍ଦୀ ଦିବସ ଉପଲକ୍ଷେ ପ୍ରତ୍ୟକ ସ୍କୁଲ ତଥା କଲେଜରେ ବେଶ ଧୁମଧାମରେ ପାଳନ କରାଯାଏ। ଏପରିକି ଏହି ଦିବସ ହିନ୍ଦୀ ଭାଷାକୁ ନେଇ ଡିବେଟ,କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥାଏ ଯେଉଁଥିରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥାନ୍ତି। ଏହାସହିତ କେନ୍ଦ୍ର ସରକାର ମଧ୍ୟ ଏହି ଦିବସକୁ ନେଇ ମହତ୍ୱପୂର୍ଣ୍ଣ ଭର୍ତ୍ତା ବାଣ୍ଟିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।
ଅଧିକ ପଢନ୍ତୁ : ବିଜୁ ପଟ୍ଟନାୟକ ବିମାନବନ୍ଦର ପଡ଼ିଆରେ ନିଆଁ