ଆଜି ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଏହି ଦିନ ଅଦିତିଙ୍କଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିରେ ଦ୍ବିପହର ଧୂପ ପରେ ଏହି ନୀତି ପାଳନ କରାଯାଏ । ପରମ୍ପରା ଅନୁଯାୟୀ, ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି । ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ପୂଜାପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି । ଏଥିପାଇଁ ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୁତ୍ରରୁ ଜଣାପଡିଛି ।
ଅଧିକ ପଢନ୍ତୁ: ଆଜି ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି
ବିଧି ଅନୁସାରେ ଏହି ନୀତିରେ ସକାଳ ଧୂପ ଶେଷ ପରେ ମହାପ୍ରଭୁଙ୍କ ମହାସ୍ନାନ, ସର୍ବାଙ୍ଗହୁଏ । ଗତଦିନ ଅଧିବାସ ହୋଇଥିବା ପବିତ୍ରା ଚାଙ୍ଗୁଡ଼ିକୁ ପଣ୍ଡା, ପତି, ମୁଦିରସ୍ତ ଓ ତିନିଜଣ ପାଳିଆ ପୁଷ୍ପାଳକ ବିଧି ଅନୁସାରେ ପଟୁଆର ହୋଇ ଜୟବିଜୟ ଦ୍ୱାର ଦେଇ ବଡ଼ ଦେଉଳକୁ ତିନି ଘର ବୁଲି ରତ୍ନସିଂହାସନକୁ ବିଜେ କରାନ୍ତି । ପବିତ୍ର ଓ ଛଅ ମୂର୍ତ୍ତି ଅଳଙ୍କାର ଶ୍ରୀଜୀଉମାନେ ଲାଗି ହୁଅନ୍ତି । କର୍ପୂର ଲାଗି ପରେ ବେଶ ହୁଏ । ମଧ୍ୟାହ୍ନ ଧୂପ ଉଠିଲେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପାଣି ପଡ଼ି ପୋଛା ମରାଯିବା ଯିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରନ୍ତି । ତିନି ବାଡ଼ରେ ବନ୍ଦାପନା ପରେ ପୂଜାପଣ୍ଡା ବରୁଣ କଳସ ପୂଜା କରନ୍ତି । ଏହା ପରେ ପତି ଓ ମୁଦିରସ୍ତ ଥାଇ ବହୁ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ ମହାଜନମାନେ କୃଷ୍ଣଙ୍କୁ ହାତରେ ଧରି ଭିତର ସିଂହାସନକୁ ବିଜେ କରାନ୍ତି । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କଲା ପରେ ମହାଜନେ କୃଷ୍ଣଙ୍କୁ ବିଜେ କରାନ୍ତି । ଏଠାରେ ବଣିଆ ନିର୍ମାଣ କରିଥିବା ଏକ କ୍ଷୁଦ୍ରାକୃତି ସୁବର୍ଣ ବାମନ ପ୍ରତିମା ବିଜେ କରିଥା'ନ୍ତି । ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ନିମନ୍ତେ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ । ପରେ ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ପାଳନ ହୁଏ ।
ଅନ୍ୟପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୧ ସାଲ ।
ଅଧିକ ପଢନ୍ତୁ:- ଆସିଯାଇଛି ପାର୍ବଣର ଋତୁ