କପ୍ତିପଦା: ଗୁହାଳରୁ ଗୋରୁ ଘୋଷାଡ଼ି ନେଲା ବାଘ। ଗାଁ ରାସ୍ତାରେ ପଡିଛି ବାଘ ପାଦ ଚିହ୍ନ ସହିତ ଗୋରୁର ମୃତଦେହ। ବାଘ ପାଦ ଚିହ୍ନ ଦେଖି ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ଏଭଳି ଘଟଣା କପ୍ତିପଦା ବନାଞ୍ଚଳ ଜେଏସ ଜାମୁଡିହା ହୁଡ଼ିସାହି ଅଞ୍ଚଳରୁ ଆସିଛି। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର କରୁଛି ଅନୁଧ୍ୟାନ।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଜାମୁଡିହା ହୁଡ଼ିସାହି ଅଞ୍ଚଳର ବିମଲ ମୁଣ୍ଡାଙ୍କ ଗୁହାଳରେ ଗୋରୁ ବନ୍ଧା ଯାଇଥିଲା। ହଠାତ ଉକ୍ତ ଗୁହାଳରୁ ଗୋରୁ ଚିତ୍କାର କରିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଗୋରିର ଚିତ୍କାର ଶୁଣି ତୁରନ୍ତ ପରିବାର ଲୋକେ ବାହାରକୁ ଆସି ଦେଖିଲା ବେଳକୁ ଏକ ବିଶାଳ କାୟ ବାଘ ଗୁହାଳରୁ ଏକ ଗୋରୁକୁ କାମୁଡି ଘୋଷାଡ଼ି ନେଇ ଯାଉଥିଲା। ପରିବାର ସଦସ୍ୟ ପାଟି କରିବା ସହିତ ଟର୍ଚ୍ଚ ମାରିବାରୁ ବାଘଟି ଗୋରୁକୁ ଛାଡି ଚାଲିଯାଇଥିଲା।
ତେବେ ବାଘ ଆକ୍ରମଣରେ ଗୋରୁର ମୃତ୍ୟୁ ହୋଇଥିଲା। ତେବେ ବାଘଟିର ପାଦ ଚିହ୍ନ ଗ୍ରାମର ବିଭିନ୍ନ ସ୍ଥାନ ପଡ଼ିଥିବାରୁ ବାଘ ଗ୍ରାମ ଭିତରେ ବୁଲୁଥିବା ନେଇ ସନ୍ଦେହ କରାଯାଇଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ବାଘକୁ ଦେଖି ତୁରନ୍ତ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ କପ୍ତିପଦା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହିତ ଆଲୋଚନା କରିବା ସହିତ ବାଘର ଗତିବିଧିକୁ ଅନୁଧ୍ୟାନ କରିଥିଲେ।
ଅଧିକ ପଢନ୍ତୁ : ଥରୁଛି ଓଡିଶା : ରାଜ୍ୟରେ କମିବାରେ ଲାଗିଛି ତାପମାତ୍ରା