କନ୍ଧମାଳ : ଫୁଲବାଣୀ ବନବିଭାଗକୁ ମିଳିଛି ବଡ ସଫଳତା । ବାଘ ଓ ଅନ୍ୟ ବନ୍ୟଜନ୍ତୁ ଶିକାରୀ ରାକେଟକୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଫୁଲବାଣୀ ଡି ଏଫ୍ ଓ ପ୍ରଶାନ୍ତ ପଟେଲ , ଏସିଏଫ ମଳୟ ରଞ୍ଜନ କାଲୋଙ୍କ ନେତୃତ୍ବରେ ସ୍ଵତନ୍ତ୍ର ଟିମ୍ ଏକ ମିଳିତ ଅପରେସନ କରି ୨ ବନ୍ୟଜନ୍ତୁ ଶିକାରୀ ଓ ଚାଲାଣକାରୀଙ୍କୁ ଧରିଛନ୍ତି। ଶିକାରୀ ଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ,ବାଘର ବିଭିନ୍ନ ଅଂଶ ସହିତ ଅନ୍ୟ ଶିକାର ସରଞାମ ଜବତ କରିଛି ବନ ବିଭାଗ। ଜି.ଉଦୟଗିରି କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ବନ କର୍ମଚାରୀ ମାନେ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଏହି ଘଟଣାରେ ଜି ଉଦୟଗିରି ଥାନା ଅନ୍ତର୍ଗତ ମାଲାନ୍ସୁଗା ଗାଁ ର ଭବାନୀ ଶଙ୍କର ପ୍ରଧାନ ଓ ଗମ୍ଭାରିଗୁଡ଼ାର ପ୍ରମୋଦ ପ୍ରଧାନଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଡ଼ିଏଫଓ କହିଛନ୍ତି । ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଏହି ସଫଳ ଅପରେସନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।