ଭୁବନେଶ୍ୱର: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଦିନର ତାପମାତ୍ରା କଲବଲ କରୁଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ତାଣ୍ତବ ରଚୁଥିବା ବେଳେ କିଛି ସ୍ଥାନରେ ଅତ୍ୟଧିକ ଗୁଳୁଗୁଳୁ ଅନୁଭୂତ ହେଉଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪-୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ତେବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ତେଣୁ ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଏହାସହ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ସୋନପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଏବଂ ପୁରୀ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘତି ସହ ଝଟକା ପବନର ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।