ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ । ସକାଳେ ପ୍ରଥମେ ୱାର୍କିଂ ପ୍ଲାଟଫର୍ମ ତିଆରି ହେବ । ପରେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ ।
ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ । ତେବେ ଶ୍ରୀମନ୍ଦିରରେ କୌଣସି ନୀତିକ୍ରାନ୍ତି ନଥିବା ବେଳେ ଏହି ମରାମତି କାର୍ଯ୍ୟ ଚାଲିବ ବୋଲି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମରାମତି କାମ କରାଯିବ । ଯେମିତି ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ ଏହି ମରାମତି କାମ କରାଯିବ । କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ମରାମତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଏଏସଆଇ ପକ୍ଷରୁ ଚିଠି ଲେଖା ଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ଙ୍କ ମଧ୍ୟରେ ବସିଥିବା ବୈଠକରେ ନାଟମଣ୍ଡପ ମରାମତିକୁ ନେଇ ନିଷ୍ପତ୍ତି ହୋଇଛି । ସୂଚନା ଅନୁସାରେ , ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଏହି ଫାଟ ୫ବର୍ଷ ହେଲା ସେମିତି ଥିବାରୁ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।
ପରେ ଏହି ମାମଲାର ତର୍ଜମା କରି କୋର୍ଟ ମରାମତି କାମ ପାଇଁ ନିର୍ଦେଶ ଦେଇଥିଲେ । ଆଜି ଠାରୁ ଶ୍ରୀମନ୍ଦିରରେ ନାଟମଣ୍ଡପର ମରାମତି କାମ ଆରମ୍ଭ ହେବ ।
ଆଗକୁ ପଢନ୍ତୁ :- ନାଟମଣ୍ଡପ ମରାମତି ପାଇଁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ