ବରଗଡ଼ : ଅଫେରା ରାଇଜକୁ ଚାଲିଗଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ସତ୍ୟନାରାୟଣ ପୋଢ। ଆଜି ଭୋରରୁ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ,ବୁଧବାର ବିଳମ୍ବିତ ରାତିରେ ହୃଦ୍ଘାତ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ସତ୍ୟନାରାୟଣ ପୋଢ଼। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଭଲ ପାଉଥିବା ଲୋକମାନେ ତାଙ୍କର ଶେଷ ଦୃଶ୍ୟ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।
ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ବରଗଡ଼ ଧନୁଯାତ୍ରାରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରୁଥିଲେ। ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା। ତାଙ୍କର ନିଛଦପଟ୍ଟ ଅଭିନୟ ହିଁ ତାଙ୍କୁ ବିଶ୍ୱରେ ଏକ ପରିଚିତ ଚେହେରା ଭାବେ ପରିଗଣିତ କରିଥିଲା। କେବଳ ବରଗଡ଼ ଧନୁଯାତ୍ରା ନୁହେଁ ସେ ଅନେକ କଳା ପ୍ରଦର୍ଶନୀ ସ୍ଥାନରେ ନିଜର ଅଭିନୟର ଯାଦୁଗରୀ ଦେଖାଇଥିଲେ। କେବଳ ଅଭିନେତା ନୁହେଁ ଅଭିନୟ ଗୁରୁ ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।
ଅଧିକ ପଢନ୍ତୁ ; ଖଣ୍ଡଗିରି ଯାତ୍ରାରେ ଦୁଲୁକୁଚି ମଞ୍ଚ : ଦର୍ଶକଙ୍କ ପ୍ରବଳ ଭିଡ଼