ଭୁୁବନେଶ୍ୱର: ବହୁ ପ୍ରତୀକ୍ଷାର ଅବସାନ ଘଟିଛି । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚୂଡାକୁ ଉଠିଛି ମହାଦୀପ । ଭକ୍ତିମୟ ପରିବେଶ ଓ ହର ହର ମହାଦେବ ପ୍ରତିଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ଏକାମତ୍ର କ୍ଷେତ୍ର । ପାରମ୍ପରିକ ବେଢା ପରିକ୍ରମା ପରେ ପ୍ରାୟ ୪୫ ମିନିିଟ୍ ବିଳମ୍ବରେ ରାତି ପାଖାପାଖି ୧୦ଟା ୪୫ରେ ଉଠିଛି ମହାଦୀପ । ରୀତିନୀତି ଓ ବିଧମତେ ସମର୍ଥା ସେବାୟତ ମହାଦୀପକୁ ମନ୍ଦିର ଚୂଡାରେ ସ୍ଥାପନ କରିଛନ୍ତି । ମହାଦୀପ ଉଠିବ ପରେ ବ୍ରତଧାରୀ ସେମାନଙ୍କ ବ୍ରତ ଭଙ୍ଗ କରିଛନ୍ତି ।
ଭକ୍ତିମୟ ପରିବେଶରେ ଭାରତର ଅନ୍ୟତମ ଶୈବ ପୀଠ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ର ଉଛୁଳି ପଡ଼ି। ଭକ୍ତ ଓ ଶ୍ରଦ୍ଧାଳୁ ଜାଗର ବ୍ରତ ପାଳିଛନ୍ତି। ବୁଧବାର ରାତି ୧ଟାରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ଦିନତମାମ ମହାଦେବଙ୍କ ଦର୍ଶନ ଲାଗି ରହିଥିଲା ଏବଂ ସନ୍ଧ୍ୟାରୁ ଭଜନ ସମାରୋହ ସାଙ୍ଗକୁ ରାତିରେ ମହାଦୀପ ଦର୍ଶନ ପାଇଁ ଭିଡ଼ ହୋଇଥିଲା।
ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢ଼େ ୩ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। ମହାଶିବରାତ୍ରି ପାଇଁ ଭୋର ୩.୩୦ରୁ ଦିନ ୧୧ଟା ପର୍ୟ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଇଛନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ। ପ୍ରଥମେ ସକାଳ ୫ ଟା ପର୍ୟ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା। ତାପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା।
ଏହା ପୂର୍ବରୁ ଛାମୁ ପରିଷ୍କାର ନୀତି ସମ୍ପାଦିତ ହୋଇ ଦେବ ଦେବ ମହାଦେବ ବୀରକିଶୋର ବେଶରେ ବିରାଜିତ ହୋଇଥିଲେ । ଅନ୍ୟପଟେ ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବା ପରେ ଠାକୁର ଠାକୁରାଣୀଙ୍କ ପହୁଡ଼ (ଶୟନ) ନୀତି ସମ୍ପାଦିତ ହୋଇଥିଲା । ସନ୍ଧ୍ୟାରେ ଠାକୁରଙ୍କ ଟେରାଫିଟା କରାଯାଇ ସନ୍ଧ୍ୟା ଆଳତୀ ହେବା ପରେ ଠାକୁରଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମଣ ନୀତି ବିଧିମତେ ସମ୍ପାଦିତ ହୋଇଥିଲା। ସନ୍ଧ୍ୟା ଧୂପ ପରେ ବିନ୍ଦୁସାଗରରୁ ୧୦୮ କଳସୀ ତୀର୍ଥଜଳ ଅଣାଯାଇ ଠାକୁରଙ୍କ ନିକଟରେ ଲାଗି କରାଯାଇଥିଲା।
ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵର ତଦାରଖ କରିଥିଲେ ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର। ସୁରକ୍ଷା ଦାୟିତ୍ବରେ ୪୮ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପି, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି।