ଭୁୁବନେଶ୍ୱର: ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିଲା ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।
ସେହିଭଳି ଉଦୀୟମାନ ଧାବକ ଦଣ୍ଡପତି ମୃତ୍ୟୁମ ଜୟରାମ ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭି ପତ୍ରୀଙ୍କୁ ସାଇଟେସନ ଆୱାର୍ଡରେ ସମ୍ମାନିତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ୟ୍ୟ କ୍ରମରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ ।
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ" ଇଣ୍ଡିଆନ୍ ମେଟାଲସ୍ ପବ୍ଳିକ୍ ଚାରିଟେବଲ୍ଟ୍ରଷ୍ଟ୍ (ଇମ୍ପାକ୍ଟ)' ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ାସମ୍ମାନ ରୂପେ ଖ୍ୟାତି ଅର୍ଜନ କରିଛି।