ଭୁବନେଶ୍ୱର : ନଭେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ବରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିସନ୍ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 
ସେ କହିଛନ୍ତି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗିତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ମିସନ ଶକ୍ତି ବିଭାଗ ଆୟୋଜନ କରୁଛି ‘ସୁଭଦ୍ରା ଶକ୍ତି ମେଳା-୨୦୨୫ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦଗୁଡ଼ିକର ପ୍ରଦର୍ଶନ ଓ ବଜାର ସଂଯୋଗୀକରଣ ପାଇଁ ଆୟୋଜିତ ଏହି ମେଳାରେ ମୋଟ ୩୦୦ ଷ୍ଟଲ୍ ରହିବ । ଏଥିରୁ ୫୦ଟି ଖାଦ୍ୟ ଷ୍ଟଲ୍ ରହିବ । ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ମହିଳା ଏଥିରେ ଭାଗନେବେ।  
ଏଥର ପ୍ରଥମଥର ପାଇଁ ପ୍ରାୟ ୧୧ଟି ରାଜ୍ୟର ମହିଳାମାନେ ମଧ୍ୟ ସେମାନଙ୍କ ଶ୍ରେଷ୍ଠ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରିବେ, ଯାହାକି ଏହି ମେଳାକୁ ଜାତୀୟ ସ୍ତରର ମେଳା ଭାବେ ଉପସ୍ଥାପିତ ହେବ। ଏଥର ପ୍ରଥମ ଥର ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଫ୍ୟାଶନ୍ ଶୋ' ମଧ୍ୟ ଆୟୋଜିତ ହେବ। ଏହି ମେଳା ହସ୍ତତନ୍ତ, ବୟନଶିଳ୍ପ,  ବନଜାତ ଦ୍ରବ୍ୟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନେବ । 
 ଏହି ମେଳା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ୱାର ଖୋଲିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ଓଡ଼ିଶୀ ନୃତ୍ୟ, ଛଉ, ଗୀତିନାଟ୍ୟ, ମଲଖମ୍ବ, ଗୋଟିପୁଅ, ରଣପା, ସମ୍ବଲପୁରୀ ନୃତ୍ୟ, ପୁରୀର ଯୋଡ଼ିଶଙ୍ଖ, ବିହୁ, ସଙ୍ଗୀତ ସନ୍ଧ୍ୟା ଓ ପାଲା ଇତ୍ୟାଦି। ଏହି ମେଳା ଦିବା ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭାଗୀୟ ଶାସନ ସଚିବ ଗିରୀଶ ଏସ୍.ଏନ୍, ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।