ଭୁବନେଶ୍ୱର : ଭଲ କାମ କର ପଦୋନ୍ନତି ମିଳିବ। ସବୁବେଳେ କାମରେ ଢିଲା କରି ରାତି ଅଧିଆ କାମ କରିଦେଲେ କି ଧରାଧରି କଲେ ପ୍ରମୋସନ ମିଳିବନାହିଁ । ରାଜସ୍ବ ବିଭାଗର ଅଧିକାରୀଙ୍କୁ ଏଭଳି ତାଗିଦ୍ କରିଛନ୍ତି ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ ।
ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂ କହିଛନ୍ତି ଯେ ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖାଯିବ ସିସିଆର । ପ୍ରଦର୍ଶନକୁ ୧ ରୁ ୫ ଭିତରେ ରେଟିଂ କରାଯାଇଛି । AI ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ପ୍ରମୋସନ ପାଇଁ ରାତି ଅଧିଆ କାମ କି ଉଚ୍ଚ ପଦସ୍ଥ ଅଫିସରଙ୍କୁ ଧରାଧରି କଲେ ଚଳିବ ନାହିଁ । କେବଳ ନିଜ ଡ୍ୟୁଟିରେ ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ ।
ଏହା ସହ ରେଜିଷ୍ଟ୍ରାର ଅଫିସରେ କେମିତି କାମ ହୁଏ ତାହାର ପୋଲ ମଧ୍ଯ ଖୋଲିଲେ ଦେଓ ରଞ୍ଜନ ସିଂ । କହିଲେ, ଆମ ଅଫିସର ମାନଙ୍କ ମଧ୍ୟରେ ଗୋଟେ ଧାରଣା ଅଛି ଆମେ ବହୁତ ଭଲ କାମ କରୁଛୁ । କିନ୍ତୁ ଜନ ସାଧାରଣଙ୍କ ପାଖରେ ଫିଡବ୍ୟାକ୍ ବହୁତ ଖରାପ । ଲୋକ ଅଭିଯୋଗ କରୁଛନ୍ତି, ଯଦି କାହାକୁ ଧରିବେ ନାହିଁ କି ହାତଗୁଞ୍ଜା ଦେବେନାହିଁ ତେବେ ଜୋତା ଘୋରିହୋଇ ଛିଡ଼ିଗଲେ ବି କେହି ଶୁଣିବେ ନାହିଁ । ଯଦି ଏହି ଦୁଇଟି ଜିନିଷ କରିଦେଲେ ତେବେ ଘରେ ବସିଥିଲେ ରେଜିଷ୍ଟ୍ରେସନ ହେଇଯିବ । ଇଏ ହେଉଛି ରେଜିଷ୍ଟ୍ରାର ଅଫିସର କଥା । ଯାହାକି ଅର୍ଦ୍ଧ ସତ୍ୟ ନୁହେଁ ପୂର୍ଣ୍ଣ ସତ୍ୟ ମୁଁ କହୁଛି । ଏଭଳି ଅଭିଯୋଗ ସବୁ ଶୁଣିବା ପରେ ଅଧିକାରୀଙ୍କୁ ସତର୍କବାଣୀ ଦିଆଯାଉଛି । ଏଣିକି ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ । ଅଫିସକୁ ଠିକ ସମୟରେ ଆସନ୍ତୁ । ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଅନ୍ତୁ । ନଚେତ୍ ନିଜ ପଦୋନ୍ନତି କଥା ଭୁଲିଯିବେ । ସଚିବଙ୍କ ଏଭଳି ଚେତାବନୀ ଏବେ ଚର୍ଚ୍ଚାର ବିଷୟ ହୋଇଛି ।