ଘଣ୍ଟ ଧ୍ୱନି, ହରି ବୋଲ, ହୁଳହୁଳିରେ ଫାଟିପଡୁଛି ପରିବେଶ । ପ୍ରତି ମୁଖରେ ଜୟ ଜଗନ୍ନାଥ ଧ୍ୱନି | ପ୍ରକମ୍ପିତ ହୋଇ ଉଠୁଛି ଚିଲିକା କୂଳ । ଜଗନ୍ନାଥ ସଂସ୍କୃତି ସହ ଜଡିତ ଚିଲିକାର ଚକାନାସୀ ତଥା ସାଗର ଶ୍ରୀକ୍ଷେତ୍ରକୁ ପହଞ୍ଚିଛି ରଥଚକା | ଚିଲିକା ମଝିରେ ଡଙ୍ଗାରେ ଶୋଭାଯାତ୍ରା କରି ବ୍ରହ୍ମପୁର ଗାଁରେ ପହଞ୍ଚିବା ପରେ ପାଟ ପଟୁଆରରେ ଗାଁ ପରିକ୍ରମା କରାଯାଇଥିଲା । ଗ୍ରାମର ସମସ୍ତଙ୍କ ଦୁଆରେ ପୂର୍ଣ୍ଣକଳସ ବସାଯାଇଥିଲା । ଆଉ ବ୍ରହ୍ମପୁର ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଘଟଣା ସହ ଅନେକ କାହାଣୀ ଯୋଡିହୋଇଛି କଲ୍ୟାଣମଲ୍ଲ ଆକ୍ରମଣବେଳେ ଚିଲିକାର ଟାପୁରେ ଥିବା ଚକାନାସୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆତ୍ମଗୋପନ କରିଥିଲେ । ସେହି ଚକାନାସୀକୁ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ରଥଚକାକୁ ଅଣାଯାଇଛି ।
କୃଷ୍ଣପ୍ରସାଦର ବ୍ରହ୍ମପୁର ନିକଟ ଚତୁଃଦିଗରେ ଥିବା ଜଳରାଶି ଘେରା ଏକ କୁଦରେ ୩ଟି ଚକାରେ ପୂଜା ପାଉଥିବାରୁ ତାହାର ନାମ ରହିଛି 'ଚକନାସି ' । ଏହା ସହିତ ଜଳମଧ୍ୟରେ ଥିବାରୁ 'ସାଗର ଶ୍ରୀକ୍ଷେତ୍ର' ନାମରେ ଏହି ସ୍ଥାନକୁ ନାମିତ କରାଯାଇଛି । ୩ ମୂର୍ତ୍ତି ସେହିଠାରେ ପୂଜା ପାଉଥିବାରୁ ଶ୍ରୀମନ୍ଦିର ପ୍ରଶାସକ ଉକ୍ତ ପୀଠକୁ ରଥ ଚକକୁ ପ୍ରଦାନ କରିଛନ୍ତି ।
ଶହ ଶହ ଶ୍ରଦ୍ଧାଳୁ-ଭକ୍ତ ତାଳଧ୍ଵଜ ରଥର ଉକ୍ତ ଚକକୁ ଚିଲିକାରେ ଡଙ୍ଗା ମାଧ୍ୟମରେ ଆଣି ସୁସଜ୍ଜିତ ଭାବରେ ଗ୍ରାମ ପରିକ୍ରମା କରାଇ ବିଦ୍ୱାନ ପଣ୍ଡିତମାନଙ୍କ ମନ୍ତ୍ର ପାଠରେ ମନ୍ଦିରରେ ସ୍ଥାପନ କରାଇଛନ୍ତି ।
ପୌରାଣିକ କଥା ଅନୁସାରେ ଚିଲିକା ମଧ୍ୟରେ ଥିବା ଗୁରୁବାଇଗଡକୁ ଓ ବାଣପୁର ତହସିଲର ନଇରୀ ଗ୍ରାମରେ ହରିଶ୍ୱର ମଣ୍ଡପକୁ ଦୁଇ ଥର ମହାପ୍ରଭୁ ବିଜେ କରି ଲୀଳା କରିଥିଲେ। ନଇରୀ ଗ୍ରାମ ଚିଲିକାର ଉତ୍ତରପାର୍ଶ୍ୱରେ ଅବସ୍ଥିତ। ଏଣୁ ଚିଲିକା ହେଉଛି ମହାପ୍ରଭୁଙ୍କ ଅତିପ୍ରିୟ ଲୀଳାକ୍ଷେତ୍ର। ମହାପ୍ରଭୁ ୮ଥର ଚିଲିକାକୁ ଏବଂ ଚିଲିକା ମଧ୍ୟ ଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୫ଥର ଚିଲିକା ମଧ୍ୟକୁ ଯାଇଥିବା ବେଳେ ୩ଥର ଚିଲିକା ବକ୍ଷ ଦେଇ ଅନ୍ୟାନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ।
୧୬୧୧ ମସିହାରେ ରଥଯାତ୍ରା ପାଖେଇ ଆସିବା ସହ ମୋଗଲ ସେନାପତି କଲ୍ୟାଣ ମଲ୍ଲର ପୁରୀ ଆକ୍ରମଣ ଆଶଙ୍କା ଘନୀଭୁତ ହେଉଥିଲା । ରଥଯାତ୍ରା ଅସମ୍ଭବ ଥିଲାତେଣୁ ଶ୍ରୀଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଥିଲା । ଭାର୍ଗବୀ ନଦୀ ଦେଇ ଚିଲିକାର ଚକାନାସିଠାରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ବିଜେ କରାଯାଇଥିଲା । ସେହିଠାରେ ପ୍ରଭୁଙ୍କର ରଥଯାତ୍ରା ହୋଇଥିଲା । କିମ୍ବଦନ୍ତି ଅନୁସାରେ ରଥ ଆକାରର ଶଗଡିରେ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଆଉ ସେହି ସମୟରୁ ଏହିଠାରେ ଏହି ପରମ୍ପରା ଚାଲୁରହିଛି ।
ଅଧିକ ପଢନ୍ତୁ ;- ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପ୍ରିୟ ବାର