ଆଜି ପବିତ୍ର ରାମ ନବମୀ | ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥି ରେ ପ୍ରଭୁ ଶ୍ରୀହରି ବିଷ୍ଣୁ ଙ୍କର ସପ୍ତମ ଅବତାର ପ୍ରଭୂ ରାମଚନ୍ଦ୍ର ଧରା ପୃଷ୍ଠକୁ ଅବତାର ହୋଇ ଆସିଥିଲେ । ଯାହାକୁ ଆମେ ରମାନବମୀ ରୂପେ ପାଳନ କରୁ।ଯାଜପୁର ରେ ଥିବା ଶ୍ରୀରାମ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ରାମନବମୀ ଅବସରରେ ଶହ ଶହ ହଜାର ସଂଖ୍ୟାରେ ଭକ୍ତ ପ୍ରଭୂଙ୍କୁ ଦର୍ଶନ କରି ଆଶିଷ କାମନା କରିଛନ୍ତି ।ରାମ ମନ୍ଦିର ରେ ଭୋଗ ଦୀପ ଓ ନୈବେଦ୍ୟ ସବୁ ବିକ୍ରି ହେବାସହିତ ଭଂଜନ କୀର୍ତନ ଓ ପ୍ରସାଦ ସେବନ ଭକ୍ତଙ୍କ ପାଇଁ କରାଯାଇଛି ।
ଏଥିସହ ରାମ ନବମୀରେ ଗେରୁଆମୟ ହେଲା ରାୟଗଡ଼ା ସହର । ରାୟଗଡ଼ା ଜିଲ୍ଲାରେ ରାମନବମୀ ଧୁମଧାମରେ ପାଳିତ ହୋଇଛି । ପୁରା ସହର ଗେରୁଆ ମୟରେ ସଜ୍ଜିତ ହୋଇଥିଲା । ଜୟ ଶ୍ରୀ ରାମ ଧ୍ବନିରେ ପୁରା ସହର କମ୍ପୁଥିବା ବେଳେ ସହରର କୁନି କୁନି ଶିଶୁଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ କୁନି କୁନି ଛାତ୍ର ଛାତ୍ରୀ ମାନେ ରାମ, ସୀତା, ହନୁମାନ ବେଶରେ ସୁସଜ୍ଜିତ ହୋଇଥିଲେ । ଏହା ସହ ରାମନବମୀ ଉପଲକ୍ଷେ ଏକ ବିଶାଳ ରାଲି ସ୍ଥାନୀୟ ରାମମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରାଯାଇଥିଲା ।
ଅନ୍ୟପଟେ ଜଗତସିଂପୁର ମହାବୀର ମନ୍ଦିରରେ ରାମ ନବମୀ ପାଳନ କରାଯାଇଛି । ପବିତ୍ର ଶ୍ରୀରାମ ନବମୀ ଅବସରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ,ଜଗନ୍ନାଥପୁର ମହାବୀର ମନ୍ଦିରରେ ଶ୍ରୀରାମମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରଘୁନାଥ ପୁର ଅଞ୍ଚଳ ରାମମୟ ହୋଇଥିଲା । ମହାବୀର ସାହି ସ୍ଥିତ ମହାବୀର ମନ୍ଦିର ଠାରେ ଏକ ବିଶାଳ ରାଲି ବାହାରି ରଘୁନାଥ ପୁର ଅଞ୍ଚଳ ପରିକ୍ରମା କରାଯାଇଥିଲା । ଏହି ରାଲିରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ ପ୍ରଭୁ ରାମ ଲାଲାଙ୍କ ପତାକା ଧରି ଶାନ୍ତି ପୂର୍ଣ୍ଣ ଭାବରେ ଶୋଭା ଯାତ୍ରା କରିଥିଲେ।