ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।ରାଷ୍ଟ୍ରପତି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ରାଷ୍ଟ୍ରପତି ପ୍ରଥମେ ସ୍ୱତନ୍ତ୍ର ବିମାନରେ କଣ୍ଟିଲୋ ପଲଟନ ପଡ଼ିଆରେ ଅବତରଣ କରି କଡା ସୁରକ୍ଷା ମଧ୍ୟରେ କାର୍ ଯୋଗେ ନୀଳମାଧବଙ୍କ ଦର୍ଶନ ପାଇଁ ଯିବେ। ମନ୍ଦିର ପରିଦର୍ଶନ ସହ ପୂଜକମାନଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ଏହାପରେ କାଳିଆପଲ୍ଲୀ ଗ୍ରାମରେ ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି l ରାଷ୍ଟ୍ରପତିଙ୍କର ନୟାଗଡ଼ ଜିଲ୍ଲାକୁ ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି ।