ହାଣ୍ଡିଶାଳ ଉପରେ ମହଙ୍ଗା ମାଡ । ଗ୍ରାହକଙ୍କୁ କନ୍ଦାଉଛି ଆଳୁ । ରୋଷେଇ ଘରେ ନିତିଦିନିଆ ପରିବାରେ ସାମିଲ ହୋଇଥାଏ ଆଳୁ । କିନ୍ତୁ ଆଳୁ ଦର ଶୁଣି ଗ୍ରାହକ ବି ଚିନ୍ତାରେ । ଗତ ସପ୍ତାହରେ ପ୍ରତି ଆଳୁ ବସ୍ତା ପିଛା ୭୦୦ ଟଙ୍କା ଥିବା ବେଳେ ଏବେ ଆଳୁ ଦର ଆକାଶ ଛୁଆଁ । ଖାଲି ଏତିକି ନୁହେଁ ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ । ସୂଚନା ମୁତାବକ ପାଇକାରୀ ବଜାରରରେ ୫୦ କେଜି ଆଜୁ ବସ୍ତା ୧୩୫୦ରୁ ୧୪୦୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ଦେଖିବାକୁ ଗଲେ କେଜି ପିଛା ୨୫ ଟଙ୍କା ପଡୁଛି ।
କେବଳ ସାରସକଣା ନୁହେଁ ଏହା ବ୍ୟତୀତ ଅନ୍ୟ ସବୁ ବଜାରରରେ ମଧ୍ୟ ଏହି ବ୍ୟବସାୟୀ ମାନେ ଆଳୁ ବିକୁଛନ୍ତି । କିନ୍ତୁ ଚିନ୍ତାର ବିଷୟ ହେଉଛି ଖୁଚୁରା ବ୍ୟବସାୟୀ ମାନେ ଗୋଦାମରୁ ଆଳୁୂ ଆଣି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ସେଥିପାଇଁ ସାରସକଣା ବମ୍ବେଛକ,ବାଙ୍ଗରିପୋଷି ଓ ବିଭିନ୍ନ ମାର୍କେଟରେ ଭିନ୍ନ ଭିନ୍ନ ଦରରେ ଆଳୁ ମିଳୁଛି । ସାରସକଣା ହାଟରେ ଆଳୁଦର କେଜି ପିଛା ୪୦ ଟଙ୍କା ରେ ବିକ୍ରି ହେଉଛି । ବର୍ତ୍ତମାନ ଗ୍ରାହକଙ୍କ ମନରେ ସବୁ ଠାରୁ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ କେଉଁ କାରଣରୁ ଖୁଚୁରା ବ୍ୟବସାୟୀ ମାନେ କେଜି ପିଛା ୮ ରୁ ୧୦ ଟଙ୍କା ଲାଭ ରଖି ଆଳୁ ବିକୁଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ରାଜ୍ୟରେ ଆଳୁ ସଙ୍କଟର ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।