୫-ଟି ସ୍କୁଲରୁ ଖସିଲା ପିଓପି ସିଲିଂ ।ଗ୍ରାମାଞ୍ଚଳର ପିଲାଏ ସହରୀ ଢାଞ୍ଚାରେ ପାଠ ପଢ଼ିବାର ସୁଯୋଗ ପାଇବେ। ସ୍ମାର୍ଟ ଶ୍ରେଣୀ ଗୃହରେ ବସି ପିଲାଏ ପାଠ ପଢ଼ି ସ୍ମାର୍ଟ ହେବେ । କିନ୍ତୁ କିଛି ଦିନ ମଧ୍ୟରେ ଏହିସବୁ ସୁବିଧା ଦେବାର ବାର୍ତ୍ତା ଭାଙ୍ଗିଗଲା । ଏହି ଉଦ୍ଦେଶ୍ୟରେ ୫-ଟି ମାଧ୍ୟମରେ ବିଦ୍ୟାଳୟ ସବୁ ରୁପାନ୍ତରିକରଣ ହୋଇଥିଲା । କିନ୍ତୁ ପରିତାପର ବିଷୟ ‘କାହାର ଦାନ୍ତ ଥିଲେ ଚଣା ନାହିଁ ପୁଣି ଚଣା ଥିଲେ ଦାନ୍ତ ନାହିଁ’ ଏହି ନ୍ୟାୟରେ ଅନେକ ବିଦ୍ୟାଳୟର ଅବସ୍ଥା। କେଉଁ ବିଦ୍ୟାଳୟର କୋଠା ଥିଲେ ମଧ୍ୟ କୋଠାର ଅବସ୍ଥା ଦୁର୍ବଳ ଆଉ କାହାର କୋଠା ନାହିଁ। ତଥାପି ପ୍ରଥମ ପର୍ଯ୍ୟାୟରେ କଲମପୁର ବ୍ଲକର ବିଜମରା ବିଦ୍ୟାଳୟକୁ ୫ଟିରେ ସାମିଲ କରାଯାଇ ରୁପାନ୍ତରିତ କରାଯାଇଥିଲା। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ବିଭିନ୍ନ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ ହେଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚର ଫଳ ମାଟିରେ ମିଶିବାକୁ ଆରମ୍ଭ ହେଲାଣି । ମାତ୍ର ଦେଢ ବର୍ଷରେ ଜଣାପଡିଲା ସ୍ମାର୍ଟ ସ୍କୁଲର ସ୍ମାର୍ଟ କାମ । ଯାହାର ନମୂନା କଲମପୁର ବ୍ଲକ ଅଧିନସ୍ଥ ବିଜମରା ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହରେ ଲକ୍ଷାଧିକ ଟଙ୍କାରେ ଲାଗିଥିବା ପିଓପି ସିଲିଂ ଶୁକ୍ରବାର ରାତିରେ ଖସି ପଡ଼ିଥିଲା। ଏଭଳି ଘଟଣା ରାତ୍ରିରେ ଘଟିଥିବାରୁ ସମସ୍ତେ ସୁରକ୍ଷିତ ଅଛନ୍ତି ।
ପିଓପି ସିଲିଂ ସବୁ ଲଗାଇବା ପୂର୍ବରୁ ଛାତ ଏବଂ କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ବଦଳରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବଦଳରେ ରାଜନୈତିକ ହସ୍ତକ୍ଷେପ ଏବଂ ଠିକାଦାର ପୋଷା ନୀତି ଯୋଗୁଁ ପାଣି ଗଳୁଥିବା ଛାତରେ ପିଓପି ସିଲିଂ କରାଯିବାରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ସଠିକ ଭାବରେ ତଦାରଖ କରି କରାଯାଇଥାନ୍ତା ତେବେ ଏଭଳି ଅବସ୍ଥା ହୋଇନଥାନ୍ତା । ଏନେଇ ବିଡିଓଙ୍କ ସହ ଯୋଗଯୋଗ କରାଯାଇଥିଲା। ଘଟଣା ସମ୍ବନ୍ଧରେ ସେ ଜାଣିଥିବା କହିବା ସହ ଦୁର୍ବଳ ସ୍ଲାବରେ ପାଣି ପଶି ପିଓପି ସିଲିଂ ନଷ୍ଟ ହୋଇ ଏଭଳି ଘଟଣା ଘଟିଛି। ତୁରନ୍ତ ତାର ସମାଧାନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ସ୍ମାର୍ଟ ସ୍କୁଲର ଏଭଳି ଅବସ୍ଥା ଯୋଗୁ ସରକାରଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ତାହା ଦଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ :ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ