ଭୁବନେଶ୍ୱର : ଆସନ୍ତା ୧୭ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସଜେଇ ହେଉଛି ଜନତା ମଇଦାନ । ଏଠାରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।ଏହା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସେ ୧୭ ତାରିଖ ସକାଳ ୧୧ଟା ୨୫ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ଏହି କାର୍ଯ୍ୟକ୍ରମରେ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ଏହାପରେ ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏଠାରେ ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ଯୋଗ ଦେବେ। ଏଠାରେ ରାଜ୍ୟରେ ହୋଇଥିବା ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ହିତାଧିକାରୀଙ୍କୁ ଘର ଆବଣ୍ଟନ ପତ୍ର ବାଣ୍ଟିବେ । ସେହିପରି ୨୬ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କର ଘରର ଘରର ପ୍ରଥମ କିସ୍ତି ବାବଦରେ ୩୧୮୦କୋଟି ଟଙ୍କା ସିଧା ସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡ଼ରେ ଦେବେ । ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବାସ ୨୦୨୪ ଆପ୍ କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ତାଙ୍କ ସୁରକ୍ଷା ପାଇଁ ଶୁକ୍ରବାର ଏକ ୮ଜଣିଆ ଏସପିଜି ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।