ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କରିବେ । ଆଉ କିଛି ସମୟ ପରେ ମହିଳାମାନଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।
ସେଠାରେ ଉପସ୍ଥିତ ଥିବା ଜନତା ମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ କରିଥିଲେ । ସେଠାରୁ ମୋଦୀଙ୍କ କାରକେଡ୍ ସିଧା ଗାଡ଼କଣ ଯାଇଥିଲା । ସେଠାରେ ମୋଦୀ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାର ଭେଟି ଦେବେ ।
ଭୁବନେଶ୍ୱର ବିମାନବନ୍ଦରଠୁ ସ୍ୱତନ୍ତ୍ର ବ୍ୟାରିକେଟର ବ୍ୟବସ୍ଥା କରାଯିବା ସହିତ ପୋଲିସ କର୍ମୀମାନେ ମଧ୍ୟ ମୁତୟନ ହୋଇଛନ୍ତି । ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ । ବ୍ୟାପକ ମହିଳା ପୁଲିସ କର୍ମଚାରୀଙ୍କ ସହ ସାଦା ପୋଷାକଧାରୀ ପୁଲିସ୍ ବି ମୁତୟନ ହେବେ। କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ ରାସ୍ତାରେ କଟକଣା ଜାରି ହୋଇଛି ।