ଭୁବନେଶ୍ୱର: ଓଡ଼ିଶାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଗୁଜୁରାଟରୁ ସିଧାସଳଖ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟସରକାରଙ୍କ ପ୍ରତିନିଧିମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ଜନତା ମଇଦାନରେ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଆକର୍ଷଣୀୟ ଷ୍ଟେଜ୍ ସାଙ୍ଗକୁ ୪ଟି ଶେଡ୍ ନିର୍ମାଣ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା, ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ବ୍ୟବସ୍ଥା ହୋଇଛି। ସଭାସ୍ଥଳରେ ସମସ୍ତଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍ୱତନ୍ତ୍ର ବସିବା ସ୍ଥାନ। ସଭାସ୍ଥଳରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ, ପାନୀୟ ଓ ଶୌଚାଳୟ ସମେତ ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି। ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକ ବା ହିତାଧିକାରି ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ନିର୍ବାଚନ ପ୍ରଚାର ବେଳେ ଭାରତୀୟ ଜନତା ପାର୍ଟି ଦେଇଥିବା ସଭଦ୍ରା ପ୍ରତିଶ୍ରୁତି ଅଳ୍ପ ସମୟ ପରେ ପୂରା ହେବାକୁ ଯାଉଛି। ଏହି ଯୋଜନାର ଲକ୍ଷାଧିକ ହିତାଧିକାରୀ ପ୍ରଥମ କିସ୍ତି ପାଇବାକୁ ଅପେକ୍ଷାରେ ଅଛନ୍ତି। ରାଜ୍ୟ ସରକାର ମଧ୍ୟ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକ ଟଙ୍କା ଲେଖାଏଁ ପଠାଇଛନ୍ତି। ଆଜି ପ୍ରଥମ କିସ୍ତିର ବାକି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥି ସହିତ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ନାମ ପଂଜୀକରଣ କରିସାରିଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ରାଜ୍ୟ ସରକାର କହିଛନ୍ତି ହିତାଧିକାରୀମାନେ ବ୍ୟସ୍ତ ହେବାର ଦରକାର ନାହିଁ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଯୋଜନା ପହଞ୍ଚିବ।
‘ସୁଭଦ୍ରା’ ଯୋଜନାକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ପୁଣିଥରେ ରାଜ୍ୟ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି। ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ ନିମନ୍ତେ ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଛି। ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେ ଯେ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ ସେଭଳି ଦ୍ୱନ୍ଦ୍ୱରେ କେହି ନରହିବା ଉଚିତ୍। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। କାହାରି ପ୍ରଲୋଭନ କିମ୍ବା ଗୁଜବରେ ବିଶ୍ୱାସ ନକରିବାକୁ ଶ୍ରୀମତୀ ପରିଡ଼ା ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।