ଅକ୍ଟୋବର ମାସରେ ସାରା ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍ କମ୍ ହୋଇଥାଏ । ଫଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭ ପ୍ରତିଶତକୁ ହ୍ରାସ ପାଇଥାଏ । କିନ୍ତୁ ଏହି ସମୟରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ଜାତୀୟ ହାରଠାରୁ ଅଧିକ ।
ଅର୍ଥାତ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୬.୪୭ ପ୍ରତିଶତ ରହିଛି । ଏକ ରିପୋର୍ଟ ଅନୁସାରେ, ରାଜ୍ୟର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୮ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୬.୯୬ ପ୍ରତିଶତ ରହିଛି । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଦରଦାମ୍ ଚିନ୍ତା ଅଧିକ ରହିଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ , ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ସାରା ଦେଶରେ ସର୍ବାଧିକ ରହିଛି । ଓଡିଶା ସହ ଆଉ ଦୁଇ ରାଜ୍ୟ ମଧ୍ୟ ରହିଛି । ଯାହାର ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ । ସେହି ରାଜ୍ୟ ଦୁଇଟି ହେଲେ ରାଜସ୍ଥାନ (୬.୨୫%) ଓ ହରିୟାଣା (୬.୦୨%) । ଓଡ଼ିଶାରେ ନଭେମ୍ବର ମାସରେ ବିଭିନ୍ନ ପନିପରିବାର ଦର ଦାମ ଅପେକ୍ଷାକୃତ ମହଙ୍ଗା ରହିଛି । ଯେମିତିକି ରାଜଧାନୀ ଭୁବନେଶ୍ୱରରେ ଖୁଚୁରା ବଜାରକୁ ଦେଖିଲେ ଆଳୁ କେଜି ୨୦ ଟଙ୍କା ରହିଛି । ସେହିପରି ପିଆଜର ଦାମ୍ ୬୦ ଟଙ୍କା, ଟମାଟୋ ୪୦ ଟଙ୍କା , ବାଇଗଣ କେଜି ୪୦ ଟଙ୍କା, କଖାରୁ ୨୦ ଟଙ୍କା, ପୋଟଳ ୫୦ ଟଙ୍କା , କଲରା ୬୦ ଟଙ୍କା ଓ ଫୁଲ କୋବି ୫୦ ଟଙ୍କା ଥିବାବେଳେ ବନ୍ଧା କୋବି କେଜି ୪୦ ଟଙ୍କା ରହିଛି ।
ବର୍ତ୍ତମାନ ରାଜ୍ୟରେ ପିଆଜ ଓ ଟମାଟୋର ଦରଦାମ୍ ଉପରମୁଁହା ହୋଇରହିଛି । ଏବେ କାର୍ତ୍ତିକ ମାସ ଚାଲିଥିବାରୁ ଅଧିକାଂଶ ଲୋକ ନିରାମିଷ ଭୋଜନ କରୁଛନ୍ତି । ଏପଟେ ପନିପରିବାର ଦାମ୍ ଉଚ୍ଚା ଥିବାରୁ ରୋଷେଇ ବଜେଟ୍ ଉପରେ ପ୍ରଭାବ ସୃଷ୍ଟି କରିଛି ।
ଆଗକୁ ପଢନ୍ତୁ :- ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର