ନୂଆପଡ଼ା : ଶେଷ ହୋଇଛି ପ୍ରଚାର । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ସୂଚନା ଦେଇଛନ୍ତି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ପ୍ରଚାର ପାଇଁ ଯାଇଥିଲେ ସେମାନେ ସ୍ଥାନ ଛାଡ଼ି ସାରିଲେଣି । ଆସନ୍ତାକାଲି ପୋଲିଂ ପାର୍ଟି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ ଏବଂ ସବୁ ବୁଥ୍ରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ରହିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆଶାବାଦୀ ଅଛନ୍ତି ।
ସୂଚନା ଥାଉ କି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ମୈଦାନରେ ବିଜେପି ଭୋଟ୍ ମାଗିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗୀନି ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଥିଲା । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।
ରବିବାର ନୂଆପଡ଼ା ଉପନିର୍ବାଚନ ଶେଷ ପ୍ରଚାର ସମୟରେ ବଡ଼ ପ୍ରତିଶ୍ରୁତି ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ନୂଆପଡ଼ାରେ ମେଡିକାଲ୍ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି ଏବଂ ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ ବୋଲି ସେ କହିଛନ୍ତି । ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ ତାହା ସମସ୍ତେ ଦେଖିଲେଣି । ୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଥିଲେ ମନମୋହନ । ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି ବୋଲି ବିଜେପି ସଭାପତି କହିଥିଲେ ।