ଭୁବନେଶ୍ଵର: ବିଦ୍ୟାଳୟ ଶିକ୍ଷାର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ନାମଲେଖାଠାରୁ ଆରମ୍ଭ କରି ମାଗଣା ସାଇକଲ୍ ଓ ୟୁନିଫର୍ମ ବାଣ୍ଟିବା ପର୍ଯ୍ୟନ୍ତ ସବୁଥିରେ ବ୍ୟାପକ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟରେ ଏଭଳି ଅନେକ ବିଦ୍ୟାଳୟ ଅଛି ଯେଉଁଠି ଏବେବି ସର୍ବନିମ୍ନ ଭିତ୍ତଭୂମି ସ୍ବପ୍ନ ହୋଇରହିଛି। ପିଲାମାନଙ୍କ ଲାଗି ଚୌକି ଟେବୁଲ୍ ନାହିଁ। ସେମାନେ ଚଟାଣରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଯୋଗ୍ୟ ହୋଇଥିଲେ ମଧ୍ୟ ମାଗଣାରେ ବଣ୍ଟାଯାଇଥିବା ସାଇକଲ୍, ବହି ଓ ୟୁନିଫର୍ମ ପାଇନାହାନ୍ତି। ୬୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ଦିଆଯାଇନଥିଲା। ନବରଙ୍ଗପୁର ଜିଲ୍ଲାରେ ୫୬ ଲକ୍ଷ ୮୬ ହଜାର ଟଙ୍କା ପାଇବା ସତ୍ତ୍ବେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ୪୪ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ବ୍ୟାଗ୍ ଦେଇନଥିଲେ।
ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ବିଦ୍ୟାଳୟ ଶିକ୍ଷା ସମ୍ପର୍କିତ ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୮ରୁ ୨୦୨୩ ମଧ୍ୟରେ ୩ ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ ମାଗଣା ୟୁନିଫର୍ମ ପାଇବାରୁ ବଞ୍ଚିତ ହୋଇଥିଲେ। ଅନେକ ବିଦ୍ୟାଳୟରେ ଏକାଧିକ ଶ୍ରେଣୀର ପିଲାଙ୍କୁ ପାଠପଢାଇବା ପାଇଁ ଗୋଟିଏ ଶ୍ରେଣୀଗୃହର ବ୍ୟବହାର କରାଯାଉଛି। ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅନୁପାତ ମଧ୍ୟ ଅପେକ୍ଷାକୃତ କମ ରହିଛି।
ସିଏଜି ରିପୋର୍ଟରୁ ମଧ୍ୟ ଆଉ ଏକ ସାଙ୍ଘାତିକ ସତ୍ୟ ଜଣାପଡିଛି। ରାଜ୍ୟରେ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପିଲାମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। କାହିଁକି ପିଲାମାନେ ପଢ଼ା ଛାଡୁଛନ୍ତି ଏନେଇ ରାଜ୍ୟରେ ଏକ ସର୍ବେକ୍ଷଣ ହୋଇଥିଲା। ଏହି ରିପୋର୍ଟରେ, ୩୯ ପ୍ରତିଶତ ଉତ୍ତରଦାତା ପାଠପଢ଼ା ଅଧାରୁ ଛାଡ଼ିବା କାରଣ ଅନିଚ୍ଛା ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ଅନ୍ୟ କାରଣ ହେଉଛି ପିତାମାତାଙ୍କ ଆର୍ଥିକ ସମସ୍ୟା ଓ ଦାରିଦ୍ର୍ୟତା, ଅଳ୍ପ ବୟସରେ ବିବାହ, ଶୀଘ୍ର ରୋଜଗାର କରିବାର ଚାପ, ଛାତ୍ରଛାତ୍ରୀଙ୍କୁ ଘର କାମରେ ଲଗାଇବା। ପିତାମାତାଙ୍କୁ କୃଷି ଓ ଅନ୍ୟାନ୍ୟ କାମରେ ସାହାଯ୍ୟ କରିବା, ଅତି ଦୂର କିମ୍ବା ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ଥିବାରୁ ଓ ପିଲାଙ୍କୁ ପଢ଼ାଇବା ପାଇଁ ଅଭିବାବକଙ୍କ ଆଗ୍ରହ ନଥିବା ଆଦି କାରଣ ରହିଛି।
ଅଧିକ ପଢନ୍ତୁ: ମହାନଦୀ ଜଳ ବିବାଦ ମାମଲା; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୭ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ