ଗଣମାଧ୍ୟମ ଆଗରେ ଜଣେ ମାଆର କୋହଭରା ନିବେଦନ । କହିଲେ- ଜଣେ ଅଭିଯୁକ୍ତ ତ ମରିଛି, ଆଉ ଜଣକୁ ବି ଫାଶୀ ଦିଅ ସେ ବି ସାମିଲ ଥିଲା । ମମିତା ମେହେର ହତ୍ୟାକାଣ୍ଡ କୁ ପୁରିଲାଣି ଦୁଇବର୍ଷ ହେଲେ ଏବେ ଯାଏଁ ତଦନ୍ତ ବାଟବଣା । ଦୁଇ ବର୍ଷ ହେଲା ଝିଅକୁ ଝୁରି ଝୁରି ଆଖିରୁ ଶୁଖୁନାହିଁ ଲୁହ। ଝିଅ ଘରୁ ଯାଇଥିଲା ଯେ ଆଉ ଫେରି ପାରିଲାନି। ଅତି ନିର୍ମମ ଭାବେ ତାକୁ ହତ୍ୟା କରି ମୃତଦେହକୁ ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ସେବେଠୁ ଝିଅକୁ ଝୁରି ବାହୁନି ହେଉଛନ୍ତି ବହୁ ଚର୍ଚ୍ଚିତା ମମିତା ମେହେରଙ୍କ ମାଆ ।
ବଲାଙ୍ଗିର ଗସ୍ତରେ ଯାଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗତକାଲି ମୃତ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ । ବଲାଙ୍ଗୀର ତୁରେକେଲା ବ୍ଲକ ଝରଣୀ ଗାଁରେ ରାଜ୍ୟ ସଭାପତିଙ୍କ ସହିତ ପୁରା ବିଜେପି ଟିମ୍ ମମିତାଙ୍କ ବାପା ମା’ଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦିଥିଲେ ମାଆ ତୁଳସୀ।
ନିଜ କୋହଭରା କାନ୍ଥରେ ଆଖିରେ ଲୁହ ଜକେଇ ସେ କହିଥିଲେ, ଯେ ଜଣେ ଅଭିଯୁକ୍ତ ଜେଲ୍ରେ ଥିବା ବେଳେ ମରିଗଲା। ହେଲେ ସେ କଲବଲ ହୋଇ ମରିବାର ଥିଲା, ତାକୁ ଫାଶି ଦେବାର ଥିଲା। ହେଲେ ଏବେ ଆଉ ଜଣେ ଅଭିଯୁକ୍ତ ବଞ୍ଚିଥିବାରୁ ତାକୁ ଫାଶି ହେବା ଦରକାର।’ ସେ ବି ସାମିଲ ଥିଲା । ଏପରି ଭାବେ ନ୍ୟାୟ ଦାବି କରିଛନ୍ତି ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଆ । ଏଥିସହ ଏହି ହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ସତ ପଦାକୁ ଆଣିବା ପାଇଁ CBI ପାଇଁ ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମାଆ ତୁଳସୀ ମେହେର ।
ସୂଚନା ଯୋଗ୍ୟ ଦୁଇ ବର୍ଷ ପୂର୍ବେ ଅକ୍ଟୋବର ୮ ତାରିଖରେ କାମକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲେ ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହର । କିଛି ଦିନ ପରେ ମାଟି ତଳୁ ତାଙ୍କର ମୃତଦେହ ମିଳିଲା ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା ତାଙ୍କୁ ଅତି ନିର୍ମମ ଭାବେ କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ମମିତା ଘଟଣା ପରେ ହଲଚଲ ହୋଇଥିଲା ରାଜ୍ୟ ରାଜନୀତି । ସରକାରୀ ଦଳର ଜଣେ ମନ୍ତ୍ରୀ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହୋଇଥିଲା । ଏହି ମାମଲାରେ ଗୋବିନ୍ଦ ଗିରଫ ହୋଇ ଜେଲ୍ରେ ଥିବା ବେଳେ ସେଠାରେ ଗତବର୍ଷ ଡିସେମ୍ବର ୨୨ରେ ସେ ଗାମୁଛାରେ ଝୁଲି ଆଖି ବୁଜିଥିଲେ। ମାତ୍ର ଏହି ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିବା ତାଙ୍କ କାର୍ ଡ୍ରାଇଭର ଉପରେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ସେ ଏବେବି ଆଇନ ଜାଲ ର ବାହାରେ ରହିଛି । ତେଣୁ ତାଙ୍କୁ ବି ତୁରନ୍ତ ଗିରଫ କରି ଫାଶୀ ଦିଆଯାଉ ବୋଲି ମମିତାଙ୍କ ମା’ ଦାବି କରିଛନ୍ତି ।
ଯାହା ସୂଚନା ରହିଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କହିଛନ୍ତି କି ମମିତା ମର୍ଡର କେସ୍ରେ ଯେଉଁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ସରକାରଙ୍କ ସାହସ ନାହିଁ । ଗୋବିନ୍ଦ ସାହୁ କିପରି ଜେଲ୍ରେ ମଲେ ତାହା ଏବେ ଯାଏଁ ବି ସ୍ପଷ୍ଟ ହୋଇପାରିନି । ଦୁଇ ପ୍ରଭାବଶାଳୀ ଲୋକ ସାମିଲ ଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣି ନାହାନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ । ଫଳରେ ଯେଉଁମାନେ ହତ୍ୟାକାରୀ, ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ୍ଠୁ ଉପରେ କେହି ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ କିନ୍ତୁ ମମିତା କୁ ନ୍ୟାୟ ଦେବାପାଇଁ କିଛି ପଦକ୍ଷେପ କ'ଣପାଇଁ ନେଉ ନାହାନ୍ତି । ତୁରନ୍ତ ଏହାର ସିବିଆଇ ତଦନ୍ତ ଆରମ୍ଭ ହେଉ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ;- ସଂସ୍କାର ହେବ ୨୮ଟି ଅଚିହ୍ନା ମୃତଦେହ