ଭୁବନେଶ୍ବର: ପ୍ରବଳ ଗରମ ଯୋଗୁଁ ଘର ବାହାରେ ଶୋଇଥିବା ମା’ ଏବଂ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ନିଦରେ ଶୋଇଥିବା ମା’ ଝିଅଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରି ଜୀବନ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧୀନ ଗିରିପାଲି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ଦ୍ବୟ ହେଲେ ଉର୍ମିଳା ପାତ୍ର (୬୦) ଏବଂ ଲିଳିମା କୁଦେଇ (୩୫)।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରି ଉଭୟ ମା’ ଉର୍ମିଳା ଓ ଝିଅ ଲିଳିମା ଘର ବାହାରେ ଶୋଇଥିଲେ। ଠିକ୍ ମଧ୍ୟରାତ୍ରୀରେ ସେମାନେ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ପୂର୍ବ ଯୋଜନା ଅନୁସାରେ ମା’ ଏବଂ ଝିଅଙ୍କୁ ଅତର୍କିତ ଆକ୍ରମଣ କରି ଥିଲେ।
ଆଜି ସକାଳୁ ପଡୋଶୀମାନେ ମା’ ଏବଂ ଝିଅର ମୃତଦେହ ଦେଖିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ମୃତ ମହିଳାମାନଙ୍କର କେହି ଘନିଷ୍ଠ ସମ୍ପର୍କୀୟ ନାହାନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି।
ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ମୃତଦେହ ପଡ଼ି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ସୌମ୍ୟ ହତ୍ୟାକାଣ୍ଡ: ଗଙ୍ଗୱାରଙ୍କ ବିରୁଦ୍ଧରେ ଆରମ୍ଭ ହେବ ତଦନ୍ତ