ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ଠାରୁ ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଠାରୁ ଏହା ଲାଗୁ ହେବ। ଆଜି ଅପରାହ୍ନରେ ଏହି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଆଜି ମଧ୍ୟାହ୍ନ ୧୨ ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗିର ଗସ୍ତରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶକ୍ରମେ ବଲାଙ୍ଗିରରେ ଆଭାସି ମାଧ୍ୟମରେ କ୍ୟାବିନେଟ୍ ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତେବେ କ୍ୟାବିନେଟ୍ ବୈଠକରୁ ବାହାରିବା ପରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଭେଟି ସେ କହିଥିଲେ ଯେ ନିର୍ବାଚନ ଇସ୍ତାହାରରେ ବିଜେପି ଦଳ ଯାହା ପ୍ରତିଶ୍ରୁତି ଦେଇଥିଲା ଆଗାମୀ ୫ ବର୍ଷ ମଧ୍ୟରେ ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପାଳନ କରିବ। ତେବେ କ୍ୟାବିନେଟ୍ ବୈଠକରେ ଯାହା ଆଲୋଚନା ହେଲା ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ଭୁବନେଶ୍ୱରରୁ ପ୍ରକାଶିତ ହେବ ବୋଲି କହିଥିଲେ।
ତେବେ ସୁଭଦ୍ରା ଯୋଜନାକୁ ନେଇ ଲୋକେ ଅପେକ୍ଷାରତ ଥିବା ଏହା ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ଲାଗୁ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ ଦେଶକୁ ବିକଶିତ କରିବାକୁ ହେଲେ ଓଡ଼ିଶାକୁ ବିକଶିତ କରିବାକୁ ହେବ ଏବଂ ଓଡ଼ିଶାକୁ ବିକଶିତ କରିବାକୁ ହେଲେ ବଲାଙ୍ଗିରକୁ ବିକଶିତ କରିବାକୁ ହେବା ବୋଲି ସେ କହିଛନ୍ତି।