ଭୁବନେଶ୍ୱର : ଆଜି ମାଘ ସପ୍ତମୀ । ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା । ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ଵର । ଖଣ୍ଡଗିରିରେ ଧୀରେ ଧୀରେ ଜମିଲାଣି ଶତାଧିକ ସାଧୁସନ୍ଥଙ୍କ ଭିଡ଼ । ଆରମ୍ଭ ହୋଇଗଲାଣି ହୋମ ଯଜ୍ଞ । ଏହି ମେଳାରେ ଯୋଗ ଦେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପହଞ୍ଚିଛନ୍ତି। ସାଧନା ସ୍ଥଳରେ ୯ ଦିନ ଧରି ପବିତ୍ର ଧୁନି ଜଳିବ । ରାତିଦିନ ଚାଲିବ ଅଖଣ୍ଡ ଜପ । ଚଳିତବର୍ଷ ଯାତ୍ରା ଫେବ୍ରୁଆରୀ ୪ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷ ଖଣ୍ଡଗିରି ମେଳାରେ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ପ୍ରତି ୧୦୦ ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ରହିଛନ୍ତି । ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ଏନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି । ଖଣ୍ଡଗିରି ମେଳାରେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ସେପଟେ ଖଣ୍ଡଗିରିମେଳା ଯାତ୍ରାରେ ଏଥର ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମେଳାରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି କେହି ଏଥିରେ ଖିଲାପ କରନ୍ତି ତେବେ ଠେଙ୍ଗା ପାହାର ତାର କମାଲ୍ ଦେଖାଇବ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି । ଅଶ୍ଳୀଳ ନୃତ୍ୟ ସାମ୍ନାକୁ ଆସିଲେ ସମ୍ପୃକ୍ତ ଅପେରା ପାର୍ଟିକୁ ସବୁଦିନ ପାଇଁ ଖଣ୍ଡଗିରି ବ୍ୟାନ୍ କରାଯିବ ବୋଲି ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ :- ଆସନ୍ତାକାଲି ବନକଲାଗି ନୀତି; ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ