ମହଙ୍ଗା ପଡ଼ିଲା ରାଜନୈତିକ ରାଲିରେ ସାମିଲ ହେବା । ନିଲମ୍ବିତ ହେଲେ କିରାଣି । ନେତାଙ୍କ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣୀ ନିଲମ୍ବିତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସେ ସାମିଲ ହୋଇଥିବା ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ତଦନ୍ତ ପରେ ସଂପୃକ୍ତ କିରାଣି ସତ୍ୟନାରାୟଣ ଦନ୍ତାଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ।
ବାରମ୍ବାର ତାଗିଦ ସତ୍ତ୍ୱେ ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ଦେଖାଯାଉଛି । ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ବେଳେ ଏବେ ଆଉ ଜଣେ ନିଲମ୍ବିତ ହୋଇଛନ୍ତି ।