ଭୁବନେଶ୍ୱର : ଆସନ୍ତା ୧୭ତାରିଖରେ 'ସୁଭଦ୍ରା' ଯୋଜନାର ପ୍ରଥମ କିସ୍ତି ମିଳିବ । ଏଯାଏଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଫର୍ମ ପଞ୍ଜୀକରଣ କରିସାରିଲେଣି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରଥମ କିସ୍ତି' ୧୭ତାରିଖରେ ମିଳିବ । ଯେଉଁମାନଙ୍କର ଫର୍ମ ଅନଲାଇନରେ ଦାଖଲ ହୋଇ ଭେରିଫାଇ ହୋଇସାରିଛି ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ। ତେବେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ ।' ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ ବୋଲି ସୂଚନା ରହିଛି ।
ରାଜ୍ୟରେ ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ଆଉ ଏକ ପାଦ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଏହିଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ମଧ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ। ଯେଉଁମାନେ ୧୭ ତାରିଖ ପରେ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ।