ଭୁବନେଶ୍ଵର: ବିଧାନସଭାରେ ଶନିବାର ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ୨୦୨୪-୨୫ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଭିବୃଦ୍ଧି ହାର ୭.୨% ରହିଥିବା ବେଳେ ଭାରତର ଅଭିବୃଦ୍ଧି ହାର ୬.୪% ରହିଛି।
ରାଜ୍ୟରେ କୃଷି ଅଭିବୃଦ୍ଧି ୩.୩ ପ୍ରତିଶତ ଓ ଶିଳ୍ପ ଅଭିବୃଦ୍ଧି ୬.୧ ପ୍ରତିଶତ ରହିବା ଆକଳନ କରାଯାଇଛି । ସେହିପରି ସେବା କ୍ଷେତ୍ରର ଅଭିବୃଦ୍ଧି ୧୦ ପ୍ରତିଶତ ରହିବା ଆକଳନ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ଆକଳନ କରାଯାଇଛି। ଓଡ଼ିଶା ଅର୍ଥନୀତିର ଆକାର ୧୦% ବଢ଼ି ୯.୫ ଲକ୍ଷ କୋଟିରେ ପହଞ୍ଚିଛି।
ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଶ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ । ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ । ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ।
ଅପର ପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି ।
ରାଜ୍ୟର ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବଢ଼ି ୧.୮୩ ଲକ୍ଷରେ ପହଞ୍ଚିଛି। ମୁଣ୍ଡ ପିଛା ଆୟ ହିସାବରେ ଦେଶରେ ଏକାଦଶ ସ୍ଥାନରେ ରହିଛି ଓଡ଼ିଶା। ୨୦୨୩-୨୪ ଅର୍ଥକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦ ପ୍ରତିଶତ ପଏଣ୍ଟରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ ।