ବରଗଡ଼ ଜିଲ୍ଲାରୁ ଚଳିତ ରବି ଋତୁରେ ୮୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାର ନିଷ୍ପତ୍ତି ହୋଇଛି। ଜିଲ୍ଲାର ୧୯୭ ଟି ମଣ୍ଡି, ୫୨ଟି ପ୍ରାଥମିକ ସେବାସମବାୟ ସମିତି ଓ ୫୦ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ଏହି ଧାନ ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି । ବୈଠକ ପରେ ଶ୍ରୀ ଗେୟଲ ଗଣମାଧ୍ୟମକୁ କହିଥିଲେ ଏଥର ଚାଷୀଙ୍କୁ ଗନି ବ୍ୟାଗ୍ ବାବଦ ଅର୍ଥ ପୈଠ କରାଯିବ ।
ଆସନ୍ତା ୧୦ ତାରିଖରେ ଅତାବିରା ମଣ୍ଡିରେ ଧାନ ବିକ୍ରିର ଶୁଭାରମ୍ଭ କରାଯିବ। ମଣ୍ଡିରେ ଚାଷୀଙ୍କ ଧାନକୁ ସୁରକ୍ଷିତ ଗଚ୍ଛିତ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଜିଲ୍ଲାରେ ଥିବା ୧୧୨ଟି ଚାଉଳ କଳ ଏହି ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ରବି ଋତୁ ଧାନ ସଂଗ୍ରହକୁ ନେଇ ଡିଆର୍ଡିଏ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବୈଠକ ଗତାନୁଗତିକ ଢଙ୍ଗରେ ହେଲା କିନ୍ତୁ ଚାଷୀମାନଙ୍କ ପାଇଁ ପିିଇବା ପାଣିର ବ୍ୟବସ୍ଥା, ଅଦିନିଆ ଝଡ଼ବର୍ଷା ଜନିତ କ୍ଷୟକ୍ଷତି ଆକଳନ କରି ତୁରନ୍ତ ଅର୍ଥ ଭରଣା ପାଇଁ ପ୍ରସ୍ତାବ ରଖାଯାଇଥିଲେ ସୁଦ୍ଧା ପ୍ରଶାସନ ସେଦିଗରେ କୌଣସି ନିର୍ଦ୍ଦଷ୍ଟ ପଦକ୍ଷେପ ନେଲା ନାହିଁ ବୋଲି କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି ।