ଭୁବନେଶ୍ଵର: ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ସିବିଆଇ ତଦନ୍ତ ପାଇଁ ସୁପାରିସ। ସିବିଆଇ ତଦନ୍ତ ପାଇଁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ।
ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି। ଏହାଛଡା ପୋଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି।
ସୂଚନାଯୋଗ୍ୟ, ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ୧୨୩ ଜଣଙ୍କୁ ଗିରଫ କରି ସାରିଛି। ତଥାପି ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଗିରଫ ହୋଇ ନାହିଁ। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି। ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ। ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ୍ ମଧ୍ୟ ଖାରଜ ହୋଇଛି। ଦୀପ୍ତିମୟୀଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଘଟଣା ଦିନଠାରୁ ଉଭୟ ପତି ପତ୍ନୀ ଫେରାର ଅଛନ୍ତି।
Also read: 'ଯିଏ ଅପରାଧି ତାକୁ ନିଶ୍ଚିନ୍ତ ଦଣ୍ତ ମିଳିବ'- ରାଜ୍ୟ ବିଜେପି ଉପସଭାପତି