ଶ୍ରୀମନ୍ଦିର ପରିସରରେ ପାନ ଗୁଟଖା ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନହଲେ ଆପଣ ବି ଗଣିବେ ମୋଟାଅଙ୍କର ତଣ୍ଡ । ଆଉ ମନ୍ଦିର ଭିତରେ ଥୁ ଥା କରିପାରିବେ ନାହିଁ ।
ସୂଚନା ଅନୁସାରେ , ଶ୍ରୀମନ୍ଦିରରେ ନୂଆ ବର୍ଷରୁ ନୂଆ ନିୟମ ଲାଗୁ ହେବ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯିବ । ଏଥିପାଇଁ ଆଜିଠାରୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିରହିଥାଏ । କିଏ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାଏ ତ ଆଉ କିଏ ନିଜ ଦୁଃଖ ବାଣ୍ଟିବାକୁ । ମାତ୍ର ୟା ଭିତରେ ଶ୍ରୀମନ୍ଦିର ପରିସରରେ ଲୋକେ ପାନ, ଗୁଟଖା ଖାଇ ଛେପ ପକାଉଛନ୍ତି । ଫଳରେ ଭକ୍ତମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ନିୟମକୁ ପ୍ରଣୟନ କରିବାକୁ ନିଷ୍ପତି ନିଆଯାଇଛି । ବିଗତ ଦିନରେ ପାନ ଗୁଟଖା ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲା । ମାତ୍ର ଏ ସବୁକୁ ଅଣଦେଖା କରି ଲୋକମାନେ ପାନ ଗୁଟଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ । ଯିଏ ଧରା ପଡୁଥିଲେ ସେ ଫାଇନ ଦେଇ ଖସିଆସୁଥିଲେ । ପୂର୍ବରୁ ଏହି ନିୟମ ଲାଗୁ ଥିଲେ ବି କେହି ଏହାକୁ ଖାତିର କରୁନଥିଲେ । ମନ୍ଦିର ପରିବେଶରେ ପାନ ଛେପ ପଡିବା ଦ୍ଵାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ତେଣୁ ପୁନର୍ବାର ଏହି ନିୟମ କଡାକଡି ଭାବେ ଲାଗୁ ହେବ ବୋଲି ଖବର ମିଳିଛି । ଏଥିନିମନ୍ତେ ଆଜିଠୁ ଲୋକଙ୍କୁ ସଚେତନତା କରାଯିବ ।
ମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ, ପୂଜକ, ସେବାୟତ , ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ ଓ ପୋଲିସ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିୟମକୁ ସମାନ ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଆଗକୁ ପଢନ୍ତୁ :- ଏବେ ପ୍ରଦୂଷଣ ତାଲିକାରେ ରାଜଧାନୀ ଭୁବନେଶ୍ୱର