ପୁରୀ: ଆଜି ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ, ଶ୍ରୀମନ୍ଦିରରେ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ଅନୁଷ୍ଠିତ ହେଉଅଛି। ଆଜି ଭୋଗମଣ୍ଡପ ଶେଷ ହେବା ପରେ, ତିନି ବାଡ଼ରେ ମହାସ୍ନାନ, ନୂଆଲୁଗା ଲାଗି, ଓ ଚନ୍ଦନ ଲାଗି ସମ୍ପନ୍ନ ହୁଏ। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ, ଶ୍ରୀ ମଦନମୋହନ ବଟ ତଳେ ଥିବା ପାଲିଙ୍କିରେ ବିଜେ ହୁଅନ୍ତି। ସଂଧ୍ୟାଧୂପ ପରେ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟରେ ପବିତ୍ରାବାସ ନିମନ୍ତେ ହୋମ କରାଯାଏ।
ଏହା ପରେ, ରତ୍ନବେଦୀରେ ଠାକୁରଙ୍କର ମଇଲମ, ମହାସ୍ନାନ ପରେ ନୂଆଲୁଗା ଲାଗି ହୁଏ। ଏହାର ପରେ, ସର୍ବାଙ୍ଗ ହୋଇ ଷୋଡ଼ଶ ଉପଚାରରେ ପୂଜା ଶେଷ ହେବା ପରେ, ବଲ୍ଲଭ-ବଡ଼ସିଂହାର ଭୋଗ ତିନି ବାଡ଼ରେ ଲାଗି ହୁଏ। ଟେରା ଫିଟିଲେ ଆଳତି ବଢ଼ି ତଥା ପାର୍ଶ୍ବ ପରିବର୍ତ୍ତନ ନୀତି ପାଇଁ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ଶୁକ୍ଳ ଫୁଲରେ ପୁଷ୍ପାଞ୍ଜଳି ଦେବା ପରେ, ଠାକୁରଙ୍କର କଡ଼ ଲେଉଟାଯିବା (ପାର୍ଶ୍ବ ପରିବର୍ତ୍ତନ) ନୀତି ସଂପାଦିତ ହୁଏ। ଏହାର ପୂର୍ବରୁ, ଠାକୁରଙ୍କର ଦକ୍ଷିଣ ମୁଖ ପରିବର୍ତ୍ତନ କରି, ଶୟନ କାଳରେ ଉତ୍ତର ମୁଖ କରାଯାଏ।