ରାଜଧାନୀରେ ଭାବଗତ ଟୁଙ୍ଗୀ ପାଇଁ ବାଧକ ସାଜିଛି ବିଏମ୍ସି । ଗତ ୨ ବର୍ଷ ତଳୁ ଚିଠି ଆସିଲାଣି କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟ ପ୍ରସ୍ତୁତ କରିପାରୁନି ବିଏମ୍ସି । ପ୍ରୋତ୍ସାହନ ଅଭାବରୁ ଟୁଙ୍ଗୀ ଦୁଆରରେ ଝୁଲୁଛି ତାଲା । କଣ ପାଇଁ ବିଏମ୍ସି ପ୍ରତିବନ୍ଧକ ସାଜିଛି ? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି , ଏହାର ଉତ୍ତର ଦେବ କିଏ ।
ଦିନ ଥିଲା, ବରମୁଣ୍ଡା ଗାଁ ପାଲାମଣ୍ଡପ ଛକ ନିକଟସ୍ଥ ଭାଗବତ ଟୁଙ୍ଗୀରେ ଜମୁଥିଲା ଲୋକଙ୍କର ଭିଡ଼ । ଭାଗବତ ପାଠ ସାଙ୍ଗକୁ ପୁରାଣ ଚର୍ଚ୍ଚାକୁ ନେଇ ସୃଷ୍ଟି ହେଉଥିଲା ଏକ ଆଧ୍ୟାତ୍ମିକ ପରିବେଶ । ବେଳେ ବେଳେ ନାମ ସଂକୀର୍ତ୍ତନ ସ୍ବରରେ ଫାଟି ପଡ଼ୁଥିଲା ସାରା ଅଞ୍ଚଳ । ବର୍ତ୍ତମାନ ଟୁଙ୍ଗୀ ଭିତରେ ଭାଗବତ ଅଛି , ହେଲେ ଆଉ କେହି ତାକୁ ପଢ଼ୁନାହାନ୍ତି । ଗିନି ମୃଦଙ୍ଗ ଧରି ଆଉ ସଙ୍କୀର୍ତ୍ତନିଆ ବି ଆସୁନାହାନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାବେଳେ କେବଳ ପୂଜାରି ଆସି ଭାଗବତରେ ଫୁଲ ଚଢ଼ାଇ ଓ ଟୁଙ୍ଗୀରେ ତାଲା ପକାଇ ଚାଲିଯାଉଛି । ସରକାରୀ ପ୍ରୋତ୍ସାହନ ଅଭାବରୁ ଭାଗବତ ଟୁଙ୍ଗୀ ନିଜର ସତ୍ତା ହରାଇବାକୁ ବସିଛି । ସେହିପରି ପାଇକରାପୁର ଗାଁ ତଳ ସାହି ଭାଗବତ ଟୁଙ୍ଗୀ କଥା ନ କହିବା ହିଁ ଭଲ । ୨୦୧୬ ମସିହାରୁ ଟୁଙ୍ଗୀକୁ ସରକାରୀ ପ୍ରୋତ୍ସାହନ ମିଳିଲାଣି । ହେଲେ ଏ ଯାଏଁ ଘର ପ୍ଲାଷ୍ଟର ହୋଇନି କି ଏଠାରେ ଭାଗବତ ବହିଟିଏ ବି ନାହିଁ । ଘରର ଦୁଆର ୨୪ ଘଣ୍ଟା ମେଲା ମୁକୁଳା ରହୁଛି । ସନ୍ଧ୍ୟା ହେଲେ ଯେଉଁଠି ଭାଗବତ ଚର୍ଚ୍ଚା ହେବା କଥା ସେଠାରେ ଯୁବକଙ୍କ ଆଡ୍ଡା ଜମୁଛି । ମୋବାଇଲ ଗେମ ରେ ସମୟ ବିତୁଛି । ଯିଏ ଯେତେବେଳେ ପାରୁଛି ଘରର ଅନାବଶ୍ୟକ ଜିନିଷ ଆଣି ଗଦେଇ ଦେଇଯାଉଛି ।
ଏଠାରେ ଆଉ ଟୁଙ୍ଗୀର କେଉଁଠି ଚିହ୍ନବର୍ଣ୍ଣ ନାହିଁ । କେବଳ ପାଲାମଣ୍ଡପ ଛକ ଭାଗବତ ଟୁଙ୍ଗୀ ନୁହେଁ, ବରଂ ବରମୁଣ୍ଡାରେ ଏଭଳି ୪ରୁ ୫ଟି ଟୁଙ୍ଗୀର ଆବଶ୍ୟକ ଭିତ୍ତିଭୂମି ରହିଛି । ହେଲେ ଏଠାରେ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ବିଏମ୍ସିର ଅବହେଳା । ଏହି ସବୁ ଭାଗବତ ଟୁଙ୍ଗୀକୁ ବିଏମ୍ସି ଚିହ୍ନଟ କରି ଯେଉଁ ଫିଜିବିଲିଟି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା କଥା ତାହା ସେ କରୁନାହିଁ । ରିପୋର୍ଟ ପାଇବା ପରେ ଏହି ଟୁଙ୍ଗୀକୁ ସରକାରୀ ପ୍ରୋତ୍ସାହନ ମିଳିବ । ଏ ନେଇ ଗତ ୨୦୨୨ ମସିହାରେ ବିଏମ୍ସିକୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଥିଲେ ମଧ୍ୟ ବିଏମ୍ସି ଏହାର କୌଣସି ଉତ୍ତର ଦେଉନାହିଁ । ଅନ୍ୟପଟେ ପାଇକରାପୁର ତଳସାହି ଟୁଙ୍ଗୀକୁ ଗତ ୨୦୧୬ ମସିହାରେ ପ୍ରୋତ୍ସାହନ ମିଳିଥିଲା । କିନ୍ତୁ ଏଠାରେ ଲୋକଙ୍କର ଆଗ୍ରହ ନାହିଁ । ଏହି ଟୁଙ୍ଗି କେମିତି ଚାଲୁଛି , ଏଠାରେ ଆର୍ଥିକ ପ୍ରୋତ୍ସାହନ କେମିତି ଖର୍ଚ୍ଚ କଲେ । ଏସବୁ ଦେଖିବା ପାଇଁ ସରକାରୀ ଅଧିକାରୀଙ୍କର କୌଣସି ଇଚ୍ଛାଶକ୍ତି ନାହିଁ । ଏହି ୨ଟି ଭାଗବତ ଟୁଙ୍ଗୀ କେବଳ ଉଦାହରଣ ନୁହେଁ । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ୍, ଜଟଣୀ ଓ ବାଣପୁର ପୌରସଂସ୍ଥା ସମେତ ସମସ୍ତ ବ୍ଲକରୁ ଟୁଙ୍ଗୀର ଉନ୍ନତିକରଣ ପାଇଁ ଆବେଦନ ପତ୍ର ଜିଲ୍ଲା ସଂବୃଦ୍ଧି କାର୍ଯ୍ୟାଳୟକୁ ପଠାଯାଇଛି । ଗତ ୨ ବର୍ଷ ତଳୁ ବିଏମ୍ସି ଅଞ୍ଚଳରେ ଆର୍ଥିକ ପ୍ରୋତ୍ସାହନ ପାଇଁ ୬୭ ୱାର୍ଡରୁ ୧୧୩ ଟି ଭାଗବତ ଟୁଙ୍ଗୀର ଆବେଦନ ଆସିଥିଲେ ମଧ୍ୟ ବିଏମ୍ସି ଏହାର ଗୋଟିଏ ମାତ୍ର ରିପୋର୍ଟ ପ୍ରସ୍ତୁତ କରିପାରୁନାହିଁ ।
ମାତ୍ର ତଥ୍ୟ କହୁଛି, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଗତ ୨୦୧୪ ମସିହାରେ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ପାଇଁ ଯୋଜନା କରିଥିଲେ । ଏହା ପରଠାରୁ ପ୍ରୋତ୍ସାହନ ରାଶି ପାଇବା ପାଇଁ ବିଭିନ୍ନ ଭାଗବତ ଟୁଙ୍ଗୀ ପକ୍ଷରୁ ଆବେଦନ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଜିଲ୍ଲାପାଳଙ୍କ ନିକଟକୁ ପର୍ଯ୍ୟାୟକ୍ରମେ ୧୬୬୬ଟି ଭାଗବତ ଟୁଙ୍ଗୀ ପାଇଁ ଆବେଦନ ଆସିଥିଲା । ଏଥିରୁ ଯୋଗ୍ୟ ବିବେଚିତ ହୋଇଥିବା ୪୩୨ ଭାଗବତ ଟୁଙ୍ଗୀରୁ ୧୯୯ଟିକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କିନ୍ତୁ ବିଏମ୍ସି ଓ ଅନ୍ୟ ବ୍ଲକ୍ର ବିଡିଓମାନଙ୍କର ଅବହେଳା ଯୋଗୁ ଟୁଙ୍ଗୀମାନେ ନିଜର ପରିଚୟ ଅପେକ୍ଷାରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି ଯେ ଜିଲ୍ଲାର ସମସ୍ତ ବ୍ଲକ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଛି । ଏକାଧିକ ବ୍ଲକ୍ରୁ ରିପୋର୍ଟ ଆସିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଅନ୍ୟପଟେ ବ୍ଲକ୍ ଏବଂ ମହାନଗର ନିଗମରୁ ରିପୋର୍ଟ ଆସିଲେ ଟୁଙ୍ଗୀଗୁଡ଼ିକୁ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ଆଗକୁ ପଢନ୍ତୁ :- ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ