ଭଦ୍ରକ : ଚଳିତ ବର୍ଷ ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ବିଶେଷ କରି ଅଧିକ ପ୍ରଭାବିତ ହୋଇଛି ଧାମନଗର ବ୍ଲକର ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତ। ଏହି ଦୁଇଟି ପଞ୍ଚାୟତର ପ୍ରାୟ ୭ଗୋଟି ଗାଁର ଲୋକମାନେ ଦୁଇ ଦିନ ହେଲା ସମ୍ପୂର୍ଣ ଜଳ ବନ୍ଦୀ ରହିଥିଲେ। ତେବେ ବନ୍ୟାଜଳ କମି କମି ଯାଇଥିବାରୁ ଲୋକମାନେ ଘରୁ ବାହାରିଛନ୍ତି କିନ୍ତୁ ଏବେବି ଧୂଷୁରୀ- ହସନାବାଦ ମୁଖ୍ୟ ରାସ୍ତାର ପଞ୍ଚାୟତ ଅଫିସ ଠାରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ସ୍ୱାଭାବିକ ହୋଇ ପାରିନାହିଁ ଯାତାୟାତ।
ସେହିପରି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଯାଇ ଧାନ ତଳି ଓ ରୁଆ କୁ ନଷ୍ଟ କରିଦେଇଛି। ଚାଷ ଜମି ଉପରେ ୫ଫୁଟର ପାଣି ଏବେବି ଜମି ରହିଛି। ସେହିପରି ଗୋରୁ,ଗାଇ ମାନେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଅନେକ ଲୋକଙ୍କ କଚ୍ଚା ଘର ଭୁଶୁଡି ପଡିଛି। ବିପନ୍ନ ଲୋକମାନଙ୍କ ଘରେ ବନ୍ୟା ପାଣି ପଶିଥିବାରୁ ସେମାନେ ପ୍ରଶାସନ ପକ୍ଷରୁ ଦିଆ ଯାଉଥିବା ଶୁଖିଲା ଓ ରନ୍ଧା ଖାଦ୍ୟ ଖାଉଛନ୍ତି। ଘର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ଭିର୍ତ୍ତିରେ ପଲିଥିନ ଯୋଗାଇ ଦିଆଯାଇଛି। ଯାହାକୁ ବିପନ୍ନ ଲୋକମାନେ ପାଲ ଟାଣି ରହିଛନ୍ତି।
ତେବେ ବୈତରଣୀ ଓ କୋଚିଳା ନଦୀର ଆଡ଼ିବନ୍ଧ ସୁଦୃଢ ନ ଥିବାରୁ ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ତେଣୁ ଏଠାରେ ଏକ ରିଙ୍ଗ ବନ୍ଧ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ଭଦ୍ରକ ଜିଲ୍ଲାପାଳ ବନ୍ୟା ସ୍ଥିତି ଦେଖି ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ସୋହଡା ଏବଂ ପ୍ରଧାନୀ ପଞ୍ଚାୟତରେ ଥିବା ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି। ରିଲିଫ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସେ ତଳିଆ କର୍ମଚାରୀଙ୍କୁ ନିର୍ଦେଶ ଦେବା ସହିତ ନିଜେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ତେବେ ବନ୍ୟା ସ୍ଥିତିର ସମ୍ପୂର୍ଣ ସୁଧାର ଆସିଛି ଏବେ କ୍ଷୟକ୍ଷତି ଆକଳନକରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି.