ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତାମାନେ ଅଣ୍ଟା ଭିଡିଲେଣି । ଗୋଟିଏ ଅଞ୍ଚଳରେ ଉଭୟ ଦୁଇଟି ରାଜ୍ୟର ନିର୍ବାଚନ ହେବ । ଏହି ସମୟରେ କୋରାପୁଟର ଚର୍ଚ୍ଚିତ ଅଂଚଳ କୋଟିଆରେ ଏକ ବିଚିତ୍ର ସ୍ଥିତି ଉପୁଜିଛି ।
ଯେଉଁଠି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଭୋଟ୍ ଗୋଟେଇବାକୁ ସଜବାଜ ଚାଲିଛି ।
ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ ଉଭୟ ରାଜ୍ୟରେ ଏକାସାଙ୍ଗରେ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଦ୍ବନ୍ଦ୍ବ ଆହୁରି ବଢ଼ିଛି । ଭୋଟର ବି କାହାକୁ ଭୋଟ ଦେବେ ତାକୁ ନେଇ ଟଣାଓଟରା ଚାଲିଛି । ଏବେ ଚଳଚଞ୍ଚଳ କୋଟିଆରେ ସରଗରମ ନିର୍ବାଚନୀ ପ୍ରସ୍ତୁତି। ଏହାରି ଭିତରେ ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି । ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମ ପୂରଣ କରି ଡିଜିଟାଲ ମିଟର ପ୍ରଦାନ କରିଛନ୍ତି।
ତେବେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଏନେଇ ଖବର ପାଇବା ପରେ ସେମାନଙ୍କୁ ଏଠାରୁ ଫେରିଯିବା ପାଇଁ ତାଗିଦ୍ କରିଥିଲେ। ପରେ ସେମାନେ ସେଠାରୁ ଫେରିଯାଇଥିଲେ। ଉପରୋକ୍ତ ଗାଁରେ ଓଡ଼ିଶା ପକ୍ଷରୁ ହାତ ଗଣତି କେତୋଟି ଘରକୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର କିନ୍ତୁ ଏଠାରେ ବହୁ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖିଛି। ଏଥିପ୍ରତି କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇନାହିଁ। ଆନ୍ଧ୍ର ପକ୍ଷରୁ ମିଟର ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଆଗକୁ ଭୋଟ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି।
ସୂଚନା ଯୋଗ୍ୟ ଆସନ୍ତା ମେ ୧୩ ତାରିଖରେ କୋଟିଆରେ ଉଭୟ କୋରାପୁଟ ଓ ଆନ୍ଧ୍ରର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ତତ୍ପର ହୋଇ ଉଠିଛି ।