ଗୁଣବତ୍ତା ସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି। ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତ ମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ . ଆଶୁତୋଷ ବିଶ୍ୱାସ ଏହି ଅତ୍ୟାଧୁନିକ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭରେ ଖୁସି ବ୍ୟକ୍ତ କରିବା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜୀ ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ରାଜ୍ୟ ତଥା ପୂର୍ବ ଭାରତର ଲୋକମାନେ ଏହି ସେବା ପାଇପାରିବେ, ଯେଉଁଥିପାଇଁ ସେମାନଙ୍କୁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲାବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।
କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ପ୍ରତିରୋପଣ ପ୍ରଣାଳୀ ମୂତ୍ର ରୋଗୀଙ୍କ ପାଇଁ ସର୍ବୋଚ୍ଚ (ସ୍ଵର୍ଣ୍ଣ ମାନକ) ଚିକିତ୍ସା ଭାବରେ ସ୍ୱୀକୃତିପ୍ରାପ୍ତ ଯାହା ପାରମ୍ପାରିକ ଚିକିତ୍ସା ପଦ୍ଧତିର ବିରୁଦ୍ଧାଚରଣ କରେନାହିଁ। ପ୍ରୋଷ୍ଟେଟ ସର୍ଜରୀ, ମେରୁଦଣ୍ଡରେ ଆଘାତ କିମ୍ବା ମୂତ୍ର ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରକ୍ରିୟାକୁ ବେଶ ପ୍ରଭାବିତ କରିଥାଏ। କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୁତ୍ରବାହିନୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ। ଯାହାକି ଅନିୟନ୍ତ୍ରିତ ପରିଶ୍ରାରୁ ମୁକ୍ତି ଦେବା ସହିତ ସାଧାରଣ ଜୀବନଯାପନ ପ୍ରକ୍ରିୟାକୁ ସ୍ଵାଭାବିକ କରିଥାଏ। ଅସ୍ବାଭାବିକ ମୂତ୍ର ଅସନ୍ତୋଷ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହି ସେବା ବିଶେଷ ଭାବରେ ପ୍ରସ୍ତୁତ ହୋଇଛି ଯାହାକି ଅତ୍ୟନ୍ତ ପ୍ରଭାବଶାଳୀ ଓ ଫଳପ୍ରଦ।
ଅଧିକ ପଢ଼ନ୍ତୁ : ଟ୍ରକକୁ ପିଟିଲା ଆମ୍ବୁଲାନ୍ସ :ଚାଳକ ଗୁରୁତର