କଳାହାଣ୍ଡି: ବଂଶଧାରା ନଦୀରେ ଭାସୁଛି ବିପୁଳ ପରିମାଣର ମଲା ମାଛ। ଏହି ଘଟଣା ଫଳରେ ନଦୀ କୂଳ ଅଂଚଳରେ ବସବାସ କରୁଥିବା ଅଂଚଳବାସୀଙ୍କ ଭୟର ଆତଙ୍କ ଖେଳିଯାଇଛି। ତେବେ କଳାହାଣ୍ଡି ଲାଞ୍ଜିଗଡ ବେଦାନ୍ତର ରେଡ଼ ମଡ଼ ପଣ୍ଡ ଭୁଶୁଡିବା କାରଣରୁ ଏହି ସାଂଘାତିକ ଘଟଣା ଘଟିବାର ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଲାଞ୍ଜିଗଡରେ ଥିବା ବେଦାନ୍ତର ଏକ ରେଡ଼ ମଡ଼ ପଣ୍ଡର ୫୦ ଫୁଟରୁ ଉଚ୍ଚ ପାଚେରୀ ଭୁଶୁଡ଼ି ପଡ଼ିଥିଲା। ଯାହା ଫଳରେ ଉକ୍ତ ପୋଖରୀରେ ଥିବା ୪ ଲକ୍ଷ କ୍ୟୁବିକ ଲିଟର କଷ୍ଟିକ ପାଣି ପ୍ରବଳ ବେଗରେ ବହିଯାଇଥିଲା। ଏହି କଷ୍ଟିକ ପାଣି ବିଭିନ୍ନ ଅଞ୍ଚଳର ଜମିରେ ମାଡିଯିବାରୁ ଅନେକ ଚାଷ ନଷ୍ଟ ହୋଇଯାଇଛି। ଏହାପରେ ପାଣି ବଂଶଧାରା ନଦୀରେ ମିଶି ଯାଇଥିଲା। ଫଳରେ ବଂଶଧାରା ନଦୀକୂଳରେ କୁଢ଼ କୁଢ଼ ମଲା ମାଛ ପଡିଥିବା ଖବର ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଅଞ୍ଚଳବାସୀ ଖୁବ ଭୟଭୀତ ଅଛନ୍ତି।