ଭୁବନେଶ୍ୱର: ଶୀତଳ ଭଣ୍ଡାର ପ୍ରସଙ୍ଗକୁ ନେଇ ଗୃହରେ ପୂର୍ବ ସରକାରକୁ ଟାର୍ଗେଟ୍ କରିଛି ସରକାରୀ ଦଳ । ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାର ରହିଛି । କିନ୍ତୁ ସେଥିରୁ ମାତ୍ର 35ଟି କାର୍ଯ୍ୟକ୍ଷମ ଥିବାବେଳେ ୯୮ଟି ଅଚଳ ହୋଇପଡ଼ିଛି । ଶୀତଳଭଣ୍ଡାରକୁ ନେଇ ବିଗତ ସରକାର ଆନ୍ତରିକତା ନ ଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଜି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର ସମ୍ପର୍କିତ ପ୍ରଶ୍ନ କରିଥିଲେ । ଏଥିପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୨୬ ଟି ଶୀତଳ ଭଣ୍ଡାର ତିଆରି ହୋଇଛି ମାତ୍ର ସେଥିରୁ ୨୨ ଟି କାର୍ଯ୍ୟକ୍ଷମ ଓ ୪ଟି ଅଚଳ । ସେହିପରି ଆଉ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଛି । ସେଥିମଧ୍ୟରୁ ମାତ୍ର ୩୫ଟି କାର୍ଯ୍ୟକ୍ଷମ ଥିବାବେଳେ ୯୮ଟି ଅଚଳ ହୋଇପଡ଼ିଛି । ଅଚଳ ମଧ୍ୟରେ ୨୦ ଟି ସରକାରୀ ଏବଂ ୭୮ଟି ବେସରକାରୀ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୨ ଲକ୍ଷ ୩୯ ହଜାର ୭୦୦ ମେଟ୍ରିକ୍ ଟନ୍ । ଯଦି ସେତିକି ଶୀତଳ ଭଣ୍ଡାର ତାର କ୍ଷମତା ଅନୁଯାୟୀ କାର୍ଯ୍ୟକ୍ଷମ ଥାଆନ୍ତା ତାହା ହେଲେ ଆଳୁ ଝଡ଼ କେବେ ଉଠୁ ନ ଥାଆନ୍ତା । ବିଗତ ୧୫ ବର୍ଷ ଧରି ଏହି ପ୍ରସଙ୍ଗରେ ଉଭୟ ଗୃହ ଭିତରେ ଏବଂ ବାହାରେ ପ୍ରଶ୍ନ କରାଯାଇଛି । ସବୁବେଳେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କୁହାଯାଇଥିଲା । ତେଣୁ ଗତ ସରକାରର କେତେ ଆନ୍ତରିକତା ଥିଲା ତାହା ଜଣାଅଛି ।
କିନ୍ତୁ ନୂତନ ସରକାର ଆସିବା ପରେ ଗତ ଜାନୁୟାରୀ ମାସରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଭଳି ଏକ ଅଭିନବ ଯୋଜନା ଅଣାଗଲା । ସର୍ବଭାରତୀୟ ସ୍ତରରେ କେବଳ ଓଡ଼ିଶାରେ ଏହି ଯୋଜନା ଆସିଛି । ଏଥିରେ ପ୍ରତି ସବଡିଭିଜନରେ ଗୋଟେ ଗୋଟେ ୫୨ଟି ଏବଂ ଆବଶ୍ୟକ ପଡ଼ିଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଏଥିପାଇଁ ୨୫୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷ ୨୦୨୫-୨୬ ରୁ ୨୦୨୯-୩୦ଯାଏ ଯୋଜନା ଚାଲିବ । ଏହା ଦ୍ୱାରା ଲୋକେ ବିଭିନ୍ନ ପନିପରିବା ଓ ଫଳ ଚାଷ ଏଥିରେ ଯେଉଁମାନେ ଅନୁସୂଚିତ ଜାତି ଓ ଜନଜାତି, ମହିଳା ଏବଂ କିନ୍ନର ଉଦ୍ୟୋଗୀ ହୋଇଥିବେ ୬୦ ପର୍ଯ୍ୟନ୍ତ ସବସିଡି (ସାଢ଼େ ୬ କୋଟି ବ୍ୟୟ ବରାଦ) ଏବଂ ଅନ୍ୟ ବର୍ଗର ଉଦ୍ୟୋଗୀଙ୍କୁ ୫୦ ପ୍ରତିଶତ ସବସିଡି (୬ କୋଟି ବ୍ୟୟ ବରାଦ) ପ୍ରଦାନ କରିଛନ୍ତି । ଉଦ୍ୟୋଗୀମାନେ ବ୍ୟାଙ୍କରୁ ଯେଉଁ ଋଣ ନେଇଥିବେ ସେଥିରେ ୬ ପ୍ରତିଶତ ସୁଧ ସରକାର ବହନ କରିବେ । ବିଦ୍ୟୁତ ବିଲ୍ ଉପରେ ୫୦ ପ୍ରତିଶତ ସବସିଡ ପ୍ରଦାନ କରାଯିବ ।
ଯେଉଁ ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଛି, ତାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତି ଶୀତଳ ଭଣ୍ଡାର ପିଛା ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଗୋ-ସୁଗମ ଯୋଜନାରେ ୨୭୩ ଜଣ ଆବେଦନ କରିଛନ୍ତି । ସେହିପରି ନୂତନ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୧୫ ଜଣ ଆବେଦନ କରିଛନ୍ତି । ୨ ଟି ପୁରୁଣାର ରିଭାଇବାଲ୍ ପାଇଁ ଆବେଦନ ହୋଇଛି । ଏଥିରୁ ୫ ଟି ଆବେଦନକୁ ସରକାର ମଞ୍ଜୁର କରିଛନ୍ତି ।
ସରକାରଙ୍କ ଯୋଜନା ଚାଷୀମାନଙ୍କୁ ଉତ୍ସାହିତ କରିଛି । ସେଥିପାଇଁ ଚଳିତବର୍ଷ ରପ୍ତାନୀ ବୃଦ୍ଧି ପାଇଛି ।