ଭୁୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସବୁଠୁ ବଡ ପ୍ରସଙ୍ଗ ମଧ୍ୟରୁ ଗୋଟିଏ । ବିଶେଷ କରି ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ଲାଗି ରହିଛି । ଯେଉଁ କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳି ପାରୁନି । ରାଜ୍ୟରେ କେତେ ଡାକ୍ତରୀ ପଦ ଖାଲି ପଡିଛି ଏହାକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସେ କହିଛନ୍ତି, ଓଡିଶାରେ ଡାକ୍ତରୀ ବୃତ୍ତିଗତଙ୍କ ଯଥେଷ୍ଟ ଅଭାବ ରହିଛି । ସରକାରୀ ମେଡିକାଲ୍ କଲେଜଗୁଡିକରେ ୧୦୫୪ ପ୍ରଶିକ୍ଷକ ଓ ଡାକ୍ତରୀ ପଦ ଖାଲି ପଡିଛି । ଜିଲ୍ଲା ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡିକରେ ୫୧୭୫ ଡାକ୍ତରୀ ପଦ ଖାଲି ପଡିଛି । ସୋମବାର ବିଦାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁକେଶ ମହାଲିଙ୍ଗ ।
ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ନିୟମିତ ନିଯୁକ୍ତି, ବିଭାଗୀୟ ପଦୋନ୍ନତି, ଡେପୁଟେସନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ଖାଲି ପଦବୀ ପୂରଣ କରାଯାଉଛି। ଆଗାମୀ ଦିନରେ ରାଜ୍ୟରେ ଡାକ୍ତରୀ ଅଭାବ ସମସ୍ୟା ଦୂର ହେବ ।