ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୩ ଘଣ୍ଟା ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଦ୍ୱାଦଶୀ ନୀତି ଅନୁଷ୍ଠିତ ହେବ । ଏହି ଦ୍ୱାଦଶୀ ନୀତିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ବଡ ଠାକୁର ବଳଭଦ୍ରଙ୍କୁ ରାଜବେଶ, ମା'ସୁଭଦ୍ରାଙ୍କୁ ସାଧାରଣ ବେଶ ଓ ମହାପ୍ରଭୁଙ୍କୁ ବାମନ ବେଶରେ ସୁସଜ୍ଜିତ କରାଯିବ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହେବେ ମହାପ୍ରଭୁ ।
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଏହି ନୀତି ଅନୁଷ୍ଠିତ ହୋଇଥାଏ । ଭଗବାନ ବିଷ୍ଣୁ ଧରାପୃଷ୍ଠକୁ ପାପୀଙ୍କ କବଳରୁ ରକ୍ଷା କରିବା ପାଇଁ ନଅଟି ଅବତାର ନେଇଛନ୍ତି ଆଉ ଗୋଟେ ଅବତାର ଅର୍ଥାତ ଦଶମ ଅବତାର କଳିଯୁଗରେ କଳ୍କୀ ଅବତାର ନେବେ । ପ୍ରଭୁ ବିଷ୍ଣୁଙ୍କର ୧୦ ଅବତାର ମଧ୍ୟରେ ବାମନ ଅବତାର ମଧ୍ୟ ରହିଛି । ପ୍ରଭୁ ବିଷ୍ଣୁ ବାମନ ରୂପରେ ଜନ୍ମ ନେଇ ବଳି ମହାରାଜାଙ୍କୁ ନିଜ ପାଦ ତଳେ ଚାପି ଦେଇଥିଲେ । ଯେଉଁ କାରଣରୁ ମହାପ୍ରଭୁ ଏହି ତିଥି ଅବସରରେ ବାମନ ବେଶରେ ସୁସଜ୍ଜିତ କରଯାଏ ।