ଡକାୟତି ଯୋଜନା ବେଳେ ୩ ଗିରଫ । ରାଇରଙ୍ଗପୁର ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଡକାୟତି ଯୋଜନା କରୁଥିବା ବେଳେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ। ଡକାୟତ ଗ୍ୟାଙ୍ଗର ସମସ୍ତ ଯୋଜନାକୁ ପଣ୍ଡ କଲା ପୋଲିସ । ଆନ୍ତଃରାଜ୍ୟ ଡକାୟତ ମାନେ ଡକାୟତି ଯୋଜନା କରୁଥିବା ବେଳେ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର କାର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରୀ, ଲୁହା ରଡ଼, ତିନୋଟି ଆଲୁମିନିୟମ ପ୍ଲେଟ, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ ଓ କିଛି ଟଙ୍କା ଜବତ କରାଯାଇଛି ।
ଗିରଫ ହୋଇଥିବା ତିନି ଅଭିଯୁକ୍ତ ମଧ୍ୟରେ ଜଣେ ଝାଡ଼ଖଣ୍ଡ ରାଜ୍ୟର ଷଢେଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ଆଦିତ୍ୟପୁର ଅଞ୍ଚଳବାସୀ ହୋଇଥିଲାବେଳେ ଅନ୍ୟ ଦୁଇ ଜଣ ଉତ୍ତରପ୍ରଦେଶ ରାଜ୍ୟ ଗାଜିପୁର ଜିଲ୍ଲା ଖାନପୁର ଥାନା ଅର୍ନ୍ତଗତ ବେହ୍ଲାରୀ ଗାଁ ର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କୁ ଗିରଫ କରିବା ପରେ ତାଙ୍କ ପରିଚୟ ବାବଦରେ ଏକ ସାମ୍ବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ଭାଲୁବସା ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ଟାଙ୍କି ପଛପଟେ ଥିବା ଶୁନଶାନ୍ ସ୍ଥାନରେ ପାଞ୍ଚ ଜଣ ଡକାୟତ ଡକାୟତି କରିବା ପାଇଁ କିଛି ଯୋଜନା କରୁଥିଲେ। ତେବେ ସେହି ସମୟରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ରାସ୍ତା କଡରେ ଏକ କାର୍ ଛିଡ଼ା ଥିବା ଏବଂ ଶୁନଶାନ୍ ସ୍ଥାନରେ ପାଞ୍ଚ ଜଣ କିଛି ଯୋଜନା କରୁଥିବା ଦେଖି ସନ୍ଦେହ କରିଥିଲେ। ଅନ୍ଧାରରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସେଥି ମଧ୍ୟରୁ ତିନିଜଣଙ୍କୁ ଧରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇ ଯାଇଥିଲେ।
ତିନି ଜଣଙ୍କୁ ପୋଲିସ ଧରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ଖେଳନା ବନ୍ଧୁକ ଓ ବ୍ୟବହାର କରୁଥିବା ମାରୁତି ସୁଇଫ୍ଟ ଡିଜାୟାର କାର୍ ଜବତ କରିଥିଲେ। ତେବେ ତିନି ଜଣ ଅଭିଯୁକ୍ତ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଏହି ଗ୍ୟାଙ୍ଗ ଚତୁରତାର ସହିତ ଏଟିଏମ୍ ରୁ ମଧ୍ଯ ଟଙ୍କା ଲୁଟ କରୁଥିବା ଓ ବରଗଡ଼ ରେ ଅପରାଧିକ ମାମଲାରେ ଜେଲ ଯାଇ ଏଇ କିଛି କିଛି ଦିନ ତଳେ ଜାମିନ ରେ ଆସିଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ତିନି ଜଣ ଡକାୟତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ।
ଅଧିକ ପଢନ୍ତୁ :ବିଞ୍ଝାରପୁରରୁ ଲଢ଼ିବେ ବବିତା ମଲ୍କିକ