କଟକ: ବହୁ ପ୍ରତୀକ୍ଷିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୪ ଫଳ ରବିବାର ପ୍ରକାଶିତ ହୋଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ପ୍ରଥମ) ଫଳ ମଧ୍ୟ ପ୍ରକାଶିତ ହୋଇଛି।
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି । ଅନ୍ଲାଇନ୍ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ପିଲାମାନେ ଅନ୍ଲାଇନ୍ରେ ଫଳ ଦେଖିପାରିବେ । ଏବର୍ଷ ୯୬.୦୭ ପ୍ରତିଶତ ପାସ୍ ହାର ରହିଛି । ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ଝିଅମାନଙ୍କର ପାସ୍ ହାର ୯୬.୭୩ ପ୍ରତିଶତ । ପୁଅଙ୍କ ପାସ ହାର ୯୫.୩୯ ପ୍ରତିଶତ ରହିଛି ।
ମାଟ୍ରିକ୍ ପରୀକ୍ଷାର ଫଳ ଘୋଷଣା ହେଲା ପରେ ବୋର୍ଡ ୱେବ୍ସାଇଟ୍ www.bseodisha.ac.inରେ ଏହା ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳ ଏହି ୱେବ୍ସାଇଟ୍ ମାଧ୍ୟମରେ ଜାଣିପାରିବେ। ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ପାଇଁ (OR10<Roll No) ରେଜଲ୍ଟ ଲେଖି ୫୬୭୬୭୫୦କୁ ପଠାଇବେ। ପ୍ରକାଶିତ ହୋଇସାରିଥିବା ବେଳେ ପ୍ରାୟ ୬ ଘଣ୍ଟା ପରେ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସେହିପରି ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଶନ୍ତା ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଖାତା ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ।
ସୂଚନାଯୋଗ୍ୟ, ୨୦୨୩-୨୪ ଶିକ୍ଷା ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏଥିରେ ରେଗୁଲାର ଓ ଏକ୍ସରେଗୁଲାର ପିଲାମାନେ ଥିଲେ। ମାଟ୍ରିକ ପରୀକ୍ଷା ଗତ ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ପରୀକ୍ଷା କେନ୍ଦ୍ରରେ କପିରେ ରୋକ ଲଗାଇବା ପାଇଁ ସିସିଟିଭି ଖଂଜା ଯାଇଥିଲା।
ଚଳିତ ବର୍ଷ ପ୍ରଥମ ପାଇଁ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ଏହି ଡିଜିଟାଲ ସାର୍ଟିଫିକେଟ୍କୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ପାଇପାରିବେ। ଡିଜିଟାଲ ସାର୍ଟିଫିକେଟ ପାଇଁ BSE/Hi ଲେଖି ୭୭୧୦୦୫୮୧୯୨ରେ ହ୍ୱାଟ୍ସଅପ୍ କରିବେ।