ଗର୍ଜିଲେ ଶ୍ରେୟସ-ରାହୁଲ-କୋହଲି, ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ମାତ୍ ଦେଲା ଭାରତ
Khabar Odisha:sports--cricket--odisha--india-beat-nz-by-6-wickets-in-1st-t-20
ଅକଲାଣ୍ଡ, ଜାନୁଆରୀ୨୪(ଖବର ଓଡ଼ିଶା):

ବ୍ୟାଟସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଅକଲାଣ୍ଡର ଏଡିନ ପାର୍କରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଘରୋଇ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ବିଜୟ ସହିତ ଭାରତ ନ୍ୟୁଜିଲାଣ୍ଡ ଗସ୍ତ ମଧ୍ୟ ଆରମ୍ଭ କରିଛି। ଲୋକେଶ ରାହୁଲ(୫୬), ବିରାଟ କୋହଲି(୪୫), ଶ୍ରେୟସ ଆୟରଙ୍କ ଅପରାଜିତ ୫୮ ବଳରେ ଭାରତ ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୨୦୪ ରନର ବିଜୟ ଲକ୍ଷ୍ୟକୁ ୪ ଓ୍ଵିକେଟ୍ ବିନିମୟରେ ୧୯ ଓଭରରେ ହାସଲ କରି ନେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋ(୫୯), ରସ୍ ଟେରଲଙ୍କ ଅପରାଜିତ(୫୪) ଓ କେନ୍ ଓ୍ଵିଲିୟମସନ(୫୧) ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା। 

୨୦୩ ରନର  ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ୧୬ ରନ ସ୍କୋରରେ ରୋହିତ ଶର୍ମା(୭)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଓପନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ଓଭର ପିଛା ୧୦ରୁ ଉର୍ଦ୍ଧ୍ଵ ରନ ହାରରେ ରନ ସଂଗ୍ରହ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ଦ୍ରୁତ ୯୯ ରନ ଯୋଡ଼ି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ଲୋକେଶ ରାହୁଲ ଟି-୨୦ କ୍ୟାରିୟରରେ ନବମ ଅର୍ଦ୍ଧଶତକ ହାସଲ କରିଥିଲେ। ୧୧୫ ରନ ସ୍କୋରରେ ଦଳକୁ ରାହୁଲଙ୍କ ରୂପେ ଦ୍ଵିତୀୟ  ଝଟକା ଲାଗିଥିଲା। ରାହୁଲ ମାତ୍ର ୨୭ ବଲରୁ ୪ ଚୌକା ଓ ୩ ଛକା ବଳରେ ୫୬ ରନ ବିସ୍ଫୋରକ ଇନିଂସ ଖେଳିଥିଲେ।

ଲୋକେଶ ରାହୁଲଙ୍କ ଆଉଟ୍ ପରେ ଅଧିନାୟକ ବିରାଟ କୋହଲି ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। କୋହଲି ୩୨  ବଲରୁ ୩ ଚୌକା ଓ ୧ ଛକା ସହାୟତାରେ ୪୫ ରନର ଉଲ୍ଲେଖନୀୟ ପାଳି ଖେଳି ପାଭିଲିୟନ ଫେରିଥିଲେ। ଶିବମ ଦୁବେ ୧୩ ରନ କରି ବିଦାୟ ନେଇଥିଲେ। ଏହା ପରେ ଶ୍ରେୟସ ଆରୟ ଓ ମନୀଷ ପାଣ୍ଡେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ଦଳକୁ ବିଜୟର ନିକଟତର କରାଇଥିଲେ। ଖାସ୍ କରି ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରି ୨୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୯ ବଲରୁ ୫ ଚୌକା ଓ ୩ ଛକା ଜରିଆରେ ୫୮ ରନର ଅପରାଜିତ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତ ୧୯ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୨୦୪ ରନର  ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ମନୀଷ ପାଣ୍ଡେ ୧୪ ରନ କରି ଅପରାଜିତ ଥିଲେ।

Subscribe

National International State Sports Entertainment