ଓ୍ଵାର୍ଣ୍ଣର ଓ ଫିଞ୍ଚଙ୍କ ରେକର୍ଡ ଭାଗିଦାରୀ, ମାଟି କାମୁଡ଼ିଲା ବିରାଟ ବାହିନୀ, ଶୋଚନୀୟ ଭାବେ ୧୦ ଓ୍ଵିକେଟରେ ହାରିଲା ଭାରତ
Khabar Odisha:sports--cricket--odisha--india-defeated-by-aus-by-10-wickets
ମୁମ୍ବାଇ, ଜାନୁଆରୀ୧୪(ଖବର ଓଡ଼ିଶା):

ଲାଗୁଥିଲା ଅଷ୍ଟ୍ରେଲିଆ ନିଜର ଘରୋଇ ପଡ଼ିଆରେ ଖେଳୁଛି ଏବଂ ଭାରତ ବିଦେଶ ମାଟିରେ ଖେଳୁଛି। ଦଶନ୍ଧିର ନିଜର ପ୍ରଥମ ଦିନିକିଆ ମ୍ୟାଚରେ ଏମିତି ପରାଜୟ ଭୋଗିବ ବୋଲି ଭାରତ ସ୍ଵପ୍ନରେ କେବେ ମଧ୍ୟ ଭାବିନଥିଲା। ମୁମ୍ବାଇର ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ଖେଳାଯାଇଥିବା ସଂପୂର୍ଣ୍ଣ ଏକତରଫା ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଘରୋଇ ଭାରତକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟରେ ପରାସ୍ତ କରିଛି। ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ଅପରାଜିତ ୧୨୮ ଏବଂ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ୧୧୦ ବଳରେ ଅଷ୍ଟ୍ରେଲିଆ ଭାରତ ଦ୍ଵାରା ଧାର୍ଯ୍ୟ ୨୫୬ ରନର ବିଜୟ ଲକ୍ଷ୍ୟକୁ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୩୭.୪ ଓଭରରେ ହାସଲ କରି ନେଇଛି। ଇତିହାସରେ ତୃତୀୟ ଥର କୌଣସି ଦଳ ୨୫୦ରୁ ଉର୍ଦ୍ଧ୍ଵ ବିଜୟ ଲକ୍ଷ୍ୟକୁ ପିଛା କରି ୧୦ ଓ୍ଵିକେଟରେ ବିଜୟୀ ହୋଇଛନ୍ତି। ଏହା ସହିତ ଦିନିକିଆରେ ଭାରତ ବିପକ୍ଷରେ ଫିଞ୍ଚ ଓ ଓ୍ଵାର୍ଣ୍ଣର ସର୍ବାଧିକ ୨୫୮ ରନର ଅପରାଜିତ ଭାଗିଦାରୀ କରିଛନ୍ତି। ୨୫୮ ରନ  ଦିନିକିଆରେ ଏହି ଦୁଇ ବ୍ୟାଟସମ୍ୟାନ ଅଷ୍ଟ୍ରେଲିଆ ପକ୍ଷରୁ ତୃତୀୟ ସର୍ବାଧିକ ଭାଗିଦାରୀ ଯୋଡ଼ିଛନ୍ତି। ଅନ୍ୟପଟେ ୨୦୦୫ ପରେ ଭାରତ ପ୍ରଥମ ଥର ଦଶ ଓ୍ଵିକେଟରେ ମ୍ୟାଚ୍ ହାରିଛି। ଏହା ପୂର୍ବରୁ ୨୦୦୫ ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇଥିଲା।

କଙ୍ଗାରୁ ଦଳ ସବୁ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ବିରାଟ ବାହିନୀକୁ ଧୂଳି ଚଟାଇଛି। ଏହା ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିଖର ଧାଓ୍ଵନଙ୍କ ୭୪ ଓ କେଏଲ ରାହୁଲଙ୍କ ୪୭ ରନ ବଳରେ ୪୯.୧ ଓଭରରେ ୨୫୫ ରନ କରି ଆଲଆଉଟ୍ ହୋଇଥିଲା। ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ।  

୨୫୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ଡେଭିଡ଼ ଓ୍ଵାର୍ଣ୍ଣର ଅପରାଜିତ ରହି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ଉଭୟ ପ୍ରଥମ ଅବିଭାଜିତ ଓ୍ଵିକେଟରେ ୨୫୮ ରନ ଯୋଡ଼ି ଦଳକୁ ବିଜୟୀ କରାଇଛନ୍ତି। ଭାରତ ମାଟିରେ ଅଷ୍ଟ୍ରେଲିଆର କୌଣସି ଓ୍ଵିକେଟ୍ ପାଇଁ ଏହି ଦୁଇ ଯୋଡ଼ି ରେକର୍ଡ ଭାଗିଦାରୀ କରିଛନ୍ତି। ଏହା ସହିତ ଭାରତ ମାଟିରେ ପୁଣି ଭାରତ ବିରୋଧରେ କୌଣସି ବିଦେଶୀ ଦଳ ଦ୍ଵାରା  ଦିନିକିଆରେ ଏହା ପ୍ରଥମ ୧୦ ଓ୍ଵିକେଟ୍ ବିଜୟ। 

ପ୍ରଥମରୁ ନେଇ ଶେଷ ପର୍ଯ୍ୟନ୍ତ ଫିଞ୍ଚ ଓ ଓ ଓ୍ଵାର୍ଣ୍ଣର ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଉଭୟ ପ୍ରଥମରୁ ଆକ୍ରମଣାତ୍ମକ ସଟ୍ ଖେଳି ଭାରତୀୟ ବୋଲର ଉପରେ ଚାପ ପକାଇଥିଲେ। ପରେ ୫୦ ରନ ପୁଣି ୧୦୦ ଏମିତି  ୩୭.୪ ଓଭରରେ ୨୫୮ ରନ ଯୋଡ଼ି ଦଳକୁ ୧୦ ଓ୍ଵିକେଟରେ ସହଜ ବିଜୟ ଦେଇଛନ୍ତି। ଏହି କ୍ରମରେ ଡେଭିଡ଼ ଓ୍ଵାର୍ଣ୍ଣର ଦିନିକିଆ କ୍ୟାରିୟରରେ ୧୮ ତମ ଏବଂ ଆରୋନ ଫିଞ୍ଚ ୧୬ ତମ ଶତକ ହାସଲ କରିଛନ୍ତି। ଓ୍ଵାର୍ଣ୍ଣର ୧୧୨ ବଲରୁ ୧୭ ଚୌକା ଓ ୩ ଛକା ଜରିଆରେ ୧୨୮ ରନ ଏବଂ ଫିଞ୍ଚ ୧୧୪ ବଲରୁ ୧୩ ଚୌକା ଓ ୨ ଛକା ବଳରେ ୧୧୦ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ କୌଣସି ବୋଲର ଏହି ଦୁଇ ବ୍ୟାଟସମ୍ୟାନଙ୍କ ଉପରେ ଚାପ ମଧ୍ୟ ପକାଇ ପାରିନଥିଲେ।

ଭାରତ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଆଶାନୁରୂପ ନଥିଲା। ସଫଳ ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା(୧୦) ପଞ୍ଚମ ଓଭରରେ ଆଉଟ୍ ହୋଇଥିଲେ। ଏହା ପରେ ଦଳର ବ୍ୟାଟିଂ ଭାର ଶିଖର ଧାଓ୍ଵନ ଓ ଲୋକେଶ ରାହୁଲ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମେ ରକ୍ଷାତ୍ମକ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏହି କ୍ରମରେ ଶିଖର ଧାଓ୍ଵନ ଦିନିକିଆ କ୍ୟାରିୟରରେ ୨୮ ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ଓ ଶିଖର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିବା ସହିତ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ମାତ୍ର ଲୋକେଶ ରାହୁଲ ୪୭ ରନ କରି ଆଉଟ୍ ହେବା ପରେ ଖେଳର ରୂପରେଖ ଓଲଟି ଯାଇଥିଲା। ରାହୁଲଙ୍କୁ ଆଉଟ୍ କରି ଆଷ୍ଟନ ଅଗର ଅଷ୍ଟ୍ରେଲିଆକୁ ବହୁତ ବଡ଼ ସଫଳତା ଦେଇଥିଲେ। ରାହୁଲ ୬୧ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଜରିଆରେ ୪୭ ରନ କରିଥିଲେ।

ଏହା ପରେ ଶିଖର ଧାଓ୍ଵନ ପାଟ କମିନ୍ସଙ୍କ ଦ୍ଵାରା ଆଉଟ୍  ହୋଇ ପାଭିଲିୟନ ଫେରିଥିଲେ ସେ ୯୧ ବଲରୁ ୯ ଚୌକା ଓ ୧ ଛକା ଜରିଆରେ ୭୪ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ। ଭାରତକୁ ସବୁଠୁ ବଡ଼ ଝଟକା ଅଧିନାୟକ କୋହଲି ଆଉଟ୍ ହେବା। ଲୋକେଶ ରାହୁଲଙ୍କୁ ତିନି ନମ୍ବରରେ ସୁଯୋଗ ଦେଇ ନିଜେ ଚତୁର୍ଥରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ୧୬ ରନ କରି ଆଡମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର କିଛି ଖାସ୍ କରିପାରିନଥିଲେ। ସେ ୪ ରନ କରି ପାଭିଲିୟନ ଫେରିଥିଲୈ। ଏହି ପରି ଭାରତ ୧୬୪ ରନରେ  ୫ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଜାଡ଼େଜା ଓ ଋଷଭ ପନ୍ତ କିଛି ସମୟ ସଂଘର୍ଷ କରି ଷଷ୍ଠ ଓ୍ଵିକେଟ୍ ପାଇଁ ଉପଯୋଗୀ ୪୯ ରନ ଯୋଡ଼ିଥିଲେ। ୨୧୩ ରନ ସ୍କୋରରେ ଜାଡ଼େଜା(୨୫) ଆଉଟ୍ ହୋଇଥିଲେ। ଏହା ପରେ ପରେ ପନ୍ତ(୨୮) ମଧ୍ୟ ପାଭିଲିୟନ ଫେରିଥିଲେ। ଶାର୍ଦ୍ଦୁଳ ଠାକୁର ୧୦ ବଲରୁ ୧୩ ରନ କରିଥିଲେ। 

ଶେଷ ଆଡ଼କୁ କୁଲଦୀପ ଯାଦବ ୧୭ ଓ ମହମ୍ମଦ ସାମି ୧୦ ରନ କରି ଆଉଟ୍ ହେବା ସହ ୪୯.୧ ଓଭରରେ ୨୫୫ ରନ କରି ଭାରତ ଅଲଆଉଟ୍  ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପାଟ୍ କମିନ୍ସ ଓ କେନ୍ ରିଚାର୍ଡସନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଆଡମ ଜାମ୍ପା ଓ ଆଷ୍ଟନ ଅଗରଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

Subscribe

National International State Sports Entertainment