ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ କେବେ ଏବଂ କେଉଁଠି ହେବ ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସୁକତା ଲାଗି ରହିଛି । ଏହାକୁ ନେଇ ସୋମବାର ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ଆଇପିଏଲ୍ ୨୦୨୫ର ମେଗା ନିଲାମୀ ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ରାଜଧାନୀ ରିୟାଦରେ ହୋଇପାରେ। ମେଗା ଅକ୍ସନ ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ ନିଜ ନିଜର ରିଟେନ ଖେଳାଳିଙ୍କ ତାଲିକା ଜାରି କରି ସାରିଛନ୍ତି । ଏଥିରେ ୪୬ ଖେଳାଳିଙ୍କୁ ଦଳଗୁଡ଼ିକ ରଖିଛନ୍ତି ।
ଆଇପିଏଲ୍ ୨୦୨୫ର ମେଗା ନିଲାମରେ ସବୁଠୁ ମୋଟା ଅଙ୍କର ଅର୍ଥ ସହ ମଇଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗ୍ସ। କାରଣ ଦଳ ନିଲାମ ପୂର୍ବରୁ କେବଳ ଦୁଇ ଜଣ ଅନକ୍ୟାପ୍ଡ ଖେଳାଳି ପ୍ରଭସିମରନ ସିଂ ଓ ଶଶାଙ୍କ ସିଂଙ୍କୁ ରିଟେନ୍ କରିଛି। ତେଣୁ ନିଲାମରେ ଦଳ ମନ ଖୋଲି ଟଙ୍କା ଖର୍ଚ୍ଚ କରିପାରେ। ମେଗା ନିଲାମ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ରିଲିଜ୍ କରି ସାରିଛନ୍ତି। ଏଥିରେ ଜୋସ୍ ବଟଲର, କେଏଲ ରାହୁଲ, ଶ୍ରେୟସ ଆୟର, ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ଋଷଭ ପନ୍ତଙ୍କ ନାଁ ସାମିଲ। ଏହି ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ପାରନ୍ତି।
ଆଇପିଏଲ୍ ୨୦୨୫ରେ ୫ଟି ଦଳ ନିଜର ନୂଆ ଅଧିନାୟକ ସନ୍ଧାନରେ ଅଛନ୍ତି। ଏଥିରେ ଆରସିବି, କେକେଆର, ଡିସି, ପଞ୍ଜାବ କିଙ୍ଗ୍ସ ଓ ଏଲଏସଜି ନାଁ ସାମିଲ। ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଯେଉଁ ୪୬ ଖେଳାଳିଙ୍କୁ ରିଟେନ କରାଯାଇଛି, ସେଥିରେ ୩୬ ଭାରତୀୟ ଓ ୧୦ ବିଦେଶୀ ଖେଳାଳି ସାମିଲ। ଏହି ସବୁ ଖେଳାଳିଙ୍କ ଉପରେ ୫୫୮.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସବୁଠୁ ଅଧିକ ଅର୍ଥରେ ରିଟେନ୍ ହୋଇଥିବା ଖେଳାଳି ହେଉଛନ୍ତି ହେନରିକ କ୍ଲାସେନ, ଯାହାଙ୍କୁ ଏସଆରଏଚ ୨୩ କୋଟି ଟଙ୍କାରେ ନିଜ ଦଳରେ ରଖିଛି। ଦ୍ଵିତୀୟ ମହଙ୍ଗା ଖେଳାଳି ଭାବେ ବିରାଟ କୋହଲିଙ୍କୁ ଆରସିବି ୨୧ କୋଟି ଟଙ୍କା ମୂଲ୍ୟରେ ନିଜ ଦଳରେ ରଖିଛି।