ପର୍ଥ: ଭାରତୀୟ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି। ଦଳ ନିଜର ଅଭ୍ୟାସ୍ ମଧ୍ୟ ଆରମ୍ଭ କରି ଦେଇଛି। ଏହା ମଧ୍ୟରେ ବିସିସିଆଇ ନିଜର ନିଷ୍ପତ୍ତି ବଦଳାଇଛି। ଭାରତୀୟ ଦଳ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ଖେଳିବ। ଶୁକ୍ରବାରଠୁ ଆରମ୍ଭ ହେଉଥିବା ଏହି ମ୍ୟାଚ୍ ତିନି ଦିନ ଧରି ଚାଲିବ। ହେଲେ କୌଣସି ଦର୍ଶକ ମ୍ୟାଚ୍ ଦେଖି ପାରିବେ ନାହିଁ, କାରଣ ବିସିସିଆଇ ଷ୍ଟାଡିୟମରେ କାହାରିକୁ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖନୀୟ ଏହା ପୂର୍ବରୁ ବିସିସିଆଇ କହିଥିଲା ଯେ, ସିରିଜ୍ ପୂର୍ବରୁ ଭାରତୀୟ ଦଳ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ଖେଳିବ।
ଏହି ତିନି ଦିନିଆ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ପର୍ଥର ଓ୍ଵାକାରେ ଖେଳାଯିବ। ତେବେ ଭାରତୀୟ ଦଳର ଅଭ୍ୟାସ୍ ସେସନ ଓ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ କେହି ଦେଖି ପାରିବେ ନାହିଁ। ଏପରିକି ଷ୍ଟାଡିୟମର କର୍ମଚାରୀଙ୍କୁ ମଧ୍ୟ ଫୋନ ବ୍ୟବହାର କରିବା ଓ ଭିଡିଓ ତିଆରି କରିବାକୁ ଅନୁମତି ମିଳିନାହିଁ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଭାରତୀୟ ଦଳ ନିଜର ଅଭ୍ୟାସ ଆରମ୍ଭ କରି ଦେଇଛି। ପ୍ରଥମ ଦିନରେ ବିରାଟ କୋହଲି ସମେତ ଆର ଅଶ୍ଵିନ ଓ ଯଶପ୍ରୀତ ବୁମରା ଅଭ୍ୟାସ କରି ନ ଥିବା ବେଳେ ବିକଳ୍ପ ସେସନରେ କେଏଲ ରାହୁଲ, ଯଶସ୍ଵୀ ଜୟସ୍ଵାଲ ଓ ଋଷଭ ପନ୍ତଙ୍କୁ ଦେଖିବାକୁ ମିଳିଥିଲା।
ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ପର୍ଥ ଟେଷ୍ଟରେ ଓପନିଂ କରି ପାରନ୍ତି। କାରଣ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପହଞ୍ଚି ପାରି ନାହାନ୍ତି। ତେଣୁ ସେ ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇ ପାରନ୍ତି। ରୋହିତ ନିଜର ଦ୍ଵିତୀୟ ସନ୍ତାନ ଜନ୍ମ ସମୟରେ ନିଜର ପତ୍ନୀଙ୍କ ପାଖରେ ରହିବାକୁ ଚାହାନ୍ତି। ଏହି କାରଣରୁ ସେ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରି ନାହାନ୍ତି। ତେବେ ଦଳ ପ୍ରବନ୍ଧକ ଏହା ସ୍ପଷ୍ଟ କରି ପାରି ନାହାନ୍ତି ଯେ ରୋହିତ ପ୍ରଥମ ଟେଷ୍ଟ ଖେଳିବେ କି ନାହିଁ। କୁହାଯାଉଛି ମ୍ୟାଚ୍ର ଦିନେ ଦୁଇ ଦିନ ପୂର୍ବରୁ ରୋହିତଙ୍କ ଖେଳିବା ନେଇ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ।